ନୂଆଦିଲ୍ଲୀ:ଅବସର ନନେବା ପର୍ଯ୍ୟନ୍ତ ଆତ୍ମଜୀବନୀ ଉପରେ ଫିଲ୍ମ ତିଆରି କରିବାକୁ ମନାକଲେ ଅଲମ୍ପିକ ଗେମ୍ସରେ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା । ଅଲମ୍ପିକ ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି ନୀରଜ ଚୋପ୍ରା । ଏଭଳି କାରନାମା କରିବାରେ ସେ ଦ୍ବିତୀୟ ଭାରତୀୟ କ୍ରିଡ଼ାବିତ ହୋଇ ପାରିଛନ୍ତି । ଏହାପୂର୍ବରୁ ୨୦୦୮ ମସିହା ବେଜିଂ ଅଲମ୍ପିକ ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ଭାରତୀୟ ସୁଟର ।
ଟୋକିଓ ଅଲମ୍ପିକ ଗେମ୍ସରେ ସଫଳତା ହାସଲ ପରେ ଆତ୍ମଜୀବନୀ ଉପରେ ଚଳଚ୍ଚିତ୍ର ନିର୍ମାଣ କରିବାକୁ ମନା କରିଛନ୍ତି ନୀରଜ । ଏହାକୁ ନେଇ ସେ କହିଛନ୍ତି ଯେ," ବର୍ତ୍ତମାନ ସୁଦ୍ଧା ଏହାକୁ ନେଇ ମୁଁ କିଛି ଚିନ୍ତା କରିନାହିଁ । ଏହା ମୋର ପ୍ରଥମ ଅଲମ୍ପିକ ଥିଲା । ଏବେ ମୁଁ କେବଳ ମୋ ଖେଳ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ଚାହୁଁଛି । ମୋ ଜୀବନରେ ଆହୁରି କାହାଣୀ ଲେଖିବାକୁ ବାକି ଅଛି । ଏହାପରେ ହିଁ କୌଣସି ନିର୍ଦ୍ଦେଶକ କିଛି ଫିଲ୍ମ କଥା ଚିନ୍ତା କରି ପାରିବେ । ମୋର କ୍ରୀଡ଼ା ଜୀବନ ଶେଷ ହୋଇନାହିଁ। ପ୍ୟାରିସ ଅଲମ୍ପିକରେ ମଧ୍ୟ ମୁଁ ସ୍ବର୍ଣ୍ଣ ପଦକ ହାସଲ କରିବାକୁ ଚାହୁଁଛି । ଏଥିପାଇଁ ବହୁ ପରିଶ୍ରମର ଆବଶ୍ୟକତା ରହିଛି । ମୁଁ ଅବସର ନେବା ପର୍ଯ୍ୟନ୍ତ ଫିଲ୍ମ ଅପେକ୍ଷା କରିପାରିବ ।"