ନୂଆଦିଲ୍ଲୀ: ଟୋକିଓ ପାରାଲମ୍ପିକ୍ସରେ ଭାରତ ପାଇଁ ଗୋଟିଏ ପରେ ଗୋଟିଏ ଖୁସି ଖବର ମିଳିବାରେ ଲାଗିଛି । ଗୋଟିଏ ଦିନରେ ତିନୋଟି ପଦକ ହାସଲ କରିଛନ୍ତି ଭାରତୀୟ ପାରା କ୍ରୀଡ଼ାବିତ । ଦିନର ଆରମ୍ଭ ଟେବୁଲ ଟେନିସ ଇଭେଣ୍ଟରେ ଭାବିନାଙ୍କ ରୌପ୍ୟ ପଦକରୁ ହୋଇଥିଲା । ତେବେ ଦିନ ଶେଷ ହେବା ବେଳକୁ ଉଚ୍ଚ ଡିଆଁ ଖେଳାଳି ନିଷାଦ କୁମାର ଓ ଡିସକସ ଥ୍ରୋ ଖେଳାଳି ବିନୋଦ କୁମାର ଭାରତକୁ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ଭେଟି ଦେଇ ଗୌରବାନ୍ବିତ କରିଛନ୍ତି ।
ଏହାକୁ ନେଇ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଆଥଲେଟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଥମେ ନିଷାଦ କୁମାରଙ୍କୁ ନେଇ ପ୍ରଧାନମନ୍ତ୍ରୀ ସୋସିଆଲ ମଡିଆରେ ଟ୍ବିଟ୍ କରି ଲେଖିଛନ୍ତି ଯେ, "ଟୋକିଓରୁ ଆହୁରି ଖୁସି ଖବର ଆସିବାରେ ଲାଗିଛି । ହାଇ ଜମ୍ପ ଇଭେଣ୍ଟରେ ଭାରତ ନିଷାଦ କୁମାର ରୌପ୍ୟ ପଦକ ହାସଲ କରିଛନ୍ତି । ଏହା ଶୁଣି ଅତ୍ୟନ୍ତ ଖୁସି ଅନୁଭବ କରିଛି । ସେ ଜଣେ ଦକ୍ଷ ଓ ନିଷ୍ଠାବାନ ଖେଳାଳି । ଏଥିପାଇଁ ତାଙ୍କୁ ଶୁଭେଚ୍ଛା ଜଣାଉଛି ।"
ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିନୋଦ କୁମାରଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି ଯେ, "ପାରାଲମ୍ପିକ୍ସରେ ବିନୋଦ କୁମାରଙ୍କ ପ୍ରଦର୍ଶନ ଯୋଗୁଁ ସାରା ଭାରତ ଆଜି ଆନନ୍ଦିତ । କାଂସ୍ୟ ପଦକ ହାସଲ କରିଥିବାରୁ ତାଙ୍କୁ ଧନ୍ୟବାଦ । ବିନୋଦଙ୍କ କଷ୍ଟ, ନିଷ୍ଠାର ଫଳ ଆଜି ତାଙ୍କୁ ମିଳି ପାରିଛି ।"