ଟୋକିଓ :ପାରାଲମ୍ପିକ୍ସରେ ଗୋଟିଏ ଇଭେଣ୍ଟରେ ଭାରତକୁ ମିଳିଲା ଦୁଇଟି ପଦକ । ହାଇଜମ୍ପର ଇଭେଣ୍ଟର T63 କାଟାଗୋରୀରେ ଭାରତର ମରିୟପ୍ପନ ଥଙ୍ଗାବେଲୁ ରୌପ୍ୟ ପଦକ ହାସଲ କରିଥିବା ବେଳେ ଶରଦ କୁମାର କାଂସ୍ୟ ପଦକ ହାସଲ କରିଛନ୍ତି । ଏହି ଦୁଇ ପଦକ ସହ ଟୋକିଓ ପାରାଲମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୧୦ରେ ପହଞ୍ଚିଛି ।
ପାରାଲମ୍ପିକ୍ସ ଆରମ୍ଭରୁ ମରିୟପ୍ପନ ଥଙ୍ଗାବେଲୁ ଆଣିବେ ବୋଲି ଆଶା କରଯାଉଥିଲା । ତେବେ କ୍ରୀଡ଼ାପ୍ରେମୀଙ୍କ ଆଶାକୁ ସଫଳ ରୂପ ଦେଇଛନ୍ତି ମରିୟପ୍ପନ ଓ ଶରଦ କୁମାର । ମରିୟପ୍ପନ ୧.୮୬ ମିଟର ଡେଇଁ ଦ୍ବିତୀୟ ସ୍ଥାନରେ ରହିବାକୁ ସକ୍ଷମ ହୋଇ ପାରିଥିଲେ । ପାରାଲମ୍ପିକ୍ସରେ ଏହା ତାଙ୍କର ଦ୍ବିତୀୟ ପଦକ । କାରଣ ୨୦୧୬ ରିଓ ପାରାଲମ୍ପିକ୍ସରେ ସେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ।
ଏହି ଇଭେଣ୍ଟରେ ଆମେରିକାର ସାମ୍ ଗ୍ର୍ୟୁ ୧.୮୮ ମିଟର ଡେଇଁ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ରିଓ ପାରାଲମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଥିଲେ । ଏହି ଇଭେଣ୍ଟରେ ଭାରତର ଆଉ ଜଣେ ଆଥଲେଟ ଶରଦ କୁମାର ୧.୮୩ ମିଟର ଡେଇଁ ରୌପ୍ୟ ପଦକ ହାସଲ କରିଛନ୍ତି । ଆଜି ଗୋଟିଏ ଦିନରେ ଭାରତକୁ ତିନି ପଦକ ମିଳିଛି ।
ଏହି ଇଭେଣ୍ଟର T63 କାଟାଗୋରୀରେ ଭାରତର ମୋଟ ତିନି ଜଣ ଆଥଲେଟ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇଜଣ ପଦକ ହାସଲ କରିବାକୁ ସକ୍ଷମ ହୋଇଥିଲେ । ଆଉଜଣେ ଆଥଲେଟ ବରୁଣ ଭାରତୀ ୧.୭୩ ମିଟର ଡେଇଁ ଷଷ୍ଠ ସ୍ଥାନରେ ହିଁ ରହିବାକୁ ସକ୍ଷମ ହୋଇ ପାରିଥିଲେ । ଏହାପୂର୍ବରୁ ଆଜି ୧୦ ମିଟର ଏୟାର ପିସ୍ତଲ ସୁଟିଂ ଇଭେଣ୍ଟରେ କାଂସ୍ୟ ପଦକ ଜିତିଛନ୍ତି ଭାରତର ସିଂହରାଜ ଆଧାନା ।
୧.୮୩ ମିଟର ପର୍ଯ୍ୟନ୍ତ ମରିୟପ୍ପନ ଥଙ୍ଗାବେଲୁ ଓ ଶରଦ କୁମାର ବିନା ଦ୍ବିଧାରେ ଡେଇଁଥିଲେ । ଏହି ରେଞ୍ଜରୁ ଆଉ ଆଗକୁ ବଢ଼ି ପାରିନଥିଲେ ଶରଦ କୁମାର । ଫଳରେ ତାଙ୍କୁ ରୌପ୍ୟରେ ହିଁ ସନ୍ତୁଷ୍ଟ ହେବାକୁ ପଡ଼ିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ