ନୂଆଦିଲ୍ଲୀ: ଅଲମ୍ପିକ୍ସ ଭଳି କ୍ରୀଡ଼ା ମହାକୁମ୍ଭରେ ଭାରତୀୟ କୁସ୍ତି ଖେଳାଳି ସବୁବେଳେ ନିଜ କରିସ୍ମା ଦେଖାଇ ଆସିଛନ୍ତି । ଲଗାତାର ଚତୁର୍ଥ ଥର ପାଇଁ ଅଲମ୍ପିକ ଗେମ୍ସରେ ଭାରତୀୟ କୁସ୍ତି ଖେଳାଳି ନିଜକୁ ପ୍ରମାଣିତ କରି ଦେଖାଇଛନ୍ତି । ଚଳିତ ଟୋକିଓ ଅଲମ୍ପିକରେ ସେମିଫାଇନାଲ ମୁକାବିଲା ବିଜୟ ହେବା ପରେ ରୌପ୍ୟ ପଦକ ପକ୍କା କରିଛନ୍ତି କୁସ୍ତି ଖେଳାଳି ରବି କୁମାର ଦହିୟା ।
୫୭ କେଜି ବର୍ଗର ଫ୍ରି ଷ୍ଟାଇଲ କୁସ୍ତି ଇଭେଣ୍ଟର ସେମିଫାଇନାଲରେ କାଜାଖସ୍ତାନ କୁସ୍ତି ଖେଳାଳିଙ୍କୁ ୧୮-୬ ରେ ମାତ ଦେଇଛନ୍ତି ରବି । ଏହାପୂର୍ବରୁ ବିବାଦୀୟ କୁସ୍ତି ଖେଳାଳି ଶୁଶିଲ କୁମାର ଗତ ଅଲମ୍ପିକ୍ ଗେମ୍ସରେ ରୌପ୍ୟ ପଦକ ହାସଲ କରିଥିଲେ । ଏହି ଧାରାରେ ଅଲମ୍ପିକ ଗେମ୍ସରେ ପଞ୍ଚମ ଭାରତୀୟ ଭାବେ ରବି ଦହିୟା ପଦକ ପକ୍କା କରି ପାରିଛନ୍ତି । ଏହାପୂର୍ବରୁ ୧୯୫୨ ମସିହାରେ କେଡି ଯାଦବ, ୨୦୦୮ରେ ଶୁଶିଲ କୁମାର, ୨୦୧୨ରେ ସାକ୍ଷୀ ମଲିକ ଓ ୨୦୧୬ରେ ସାକ୍ଷି ମଲିକ ଅଲମ୍ପିକ୍ ଗେମରେ ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣି ଦେଇଥିଲେ ।
ରବି ପଦକ ହାସଲ କଲେ ଟୋକିଓ ଅଲମ୍ପିକ୍ ଗେମ୍ସରେ ଭାରତର ପଦକ ସଂଖ୍ୟା ୪ରେ ପହଞ୍ଚିବ । ଏହାପୂର୍ବରୁ ଭାରୋଉତ୍ତୋଳକ ମୀରାବାଇ ଚାନୁ ରୌପ୍ୟ, ବ୍ୟାଡମିଣ୍ଟନ ସଟଲର ପିଭି ସିନ୍ଧୁ ବ୍ରୋଞ୍ଜ ଓ ବକ୍ସର ଲବ୍ନିନା ବର୍ଗୋହେନ ବ୍ରୋଞ୍ଜ ପଦକ ହାସଲ କରି ସାରିଛନ୍ତି ।
ତେବେ ରବି ଦହିୟାଙ୍କ ପାଇଁ ଅଲମ୍ପିକର ଏହି ରାସ୍ତା ଏତେ ସହଜ ନଥିଲା । ଟୋକିଓ ଅଲମ୍ପିକ୍ସରେ ଯୋଗ ଦେବା ପାଇଁ ସେ ଅଭ୍ୟାସ କରିବାକୁ ଋଷିଆ ଗସ୍ତ କରିଥିଲେ । ସେଠାରେ ବଜରଙ୍ଗ ପୁନିଆ, ଦୀପକ ପୁନିଆଙ୍କ ସହ ଜୋରଦାର ଅଭ୍ୟାସ କରିଥିଲେ । ବିଶେଷ କରି ସେ କୁସ୍ତି ବେଳେ ନିଜ ଶକ୍ତି ଓ ସାମର୍ଥ୍ୟକୁ ବଢ଼ାଇବା ପାଇଁ ଚେଷ୍ଟା କରିଥିଲେ । ଏହି ଅଭ୍ୟାସ ବେଳେ ନିଜ କୌଶଳ ଉପରେ ଅଧିକ ଧ୍ୟାନ ଦେଇଥିଲେ । ସଠିକ କୌଶଳ ଅଭାବରୁ ତାଙ୍କୁ ୨୦୧୯ ବିଶ୍ବ କୁସ୍ତି ଚମ୍ପିଆନସିପରେ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ସେହି ସମୟରେ ଧୀରେ ଧୀରେ ଚର୍ଚ୍ଚା ପରିସରକୁ ଆସିଥିଲେ ରବି ଦହିୟା ।