ଭୁବନେଶ୍ବର: ୪ ଦଶନ୍ଧି ଅପେକ୍ଷାର ଅନ୍ତ ଘଟିଲା । ଶେଷରେ ଟୋକିଓ ଅଲମ୍ପିକ୍ ଗେମ୍ସରେ ଭାରତ କାଂସ୍ୟ ପଦକ ହାସଲ କରି ଇତିହାସ ସୃଷ୍ଟି କରିଛି । ଏହାପରେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଭିଁଙ୍କ ମୁଖରେ ନବୀନଙ୍କ ଗୁଣଗାନ । ଏହାର କାରଣ ହେଉଛି ଉଭୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ସାଜିଛି ଓଡ଼ିଶା । ଦେଶରେ କ୍ରିକେଟ ଲୋକପ୍ରିୟତା ହାସଲ କରିଥିବାବେଳେ ହକିକୁ ଆପଣେଇ ନେଇଥିଲେ ମୁଖ୍ୟମନ୍ତ୍ରୀ ।
ଏହାର ଫଳ ସ୍ବରୁପ ଭାରତୀୟ ଦଳ ଟୋକିଓ ଅଲମ୍ପିକ୍ ଗେମ୍ସରେ ଜବରଦସ୍ତ ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ହାସଲ କରିଛି । ଏହି ଐତିହାସିକ ବିଜୟ ପରେ ପୁନଃ ସୋସିଆଲ ମିଡିଆରେ ଟ୍ରେଣ୍ଡିଂ ରହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଭିଁଙ୍କ ମୁହଁରେ ଗୋଟିଏ କଥା । ଧନ୍ୟବାଦ ନବୀନ ସାର୍ ।
ବହୁ ସୁପରିଚିତ ଚେହେରା ସହ ଅନେକ ୟୁଜର ଏବେ ନବୀନଙ୍କ ପ୍ରଶଂସାରେ ଶତ ମୁଖ । ପୂର୍ବତନ ଭାରତୀୟ କ୍ରିକେଟର କିର୍ତ୍ତୀ ଆଜାଦ ଟ୍ବିଟ୍ କରି ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଟ୍ବିଟ୍ କରିଛନ୍ତି ଯେ, "ଆପଣଙ୍କ ସମର୍ଥନ ପାଇଁ ଧନ୍ୟବାଦ । ସମସ୍ତ ଶ୍ରେୟ ଆପଣଙ୍କୁ ଦେଲେ ଭୁଲ ହେବନାହିଁ ।"