ସୁନ୍ଦରଗଡ଼: ଭାରତୀୟ ମହିଳା ହକି ଟିମ ଚଳିତ ଟୋକିଓ ଅଲମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିଛି । ଅଲମ୍ପିକ ଇତିହାସରେ ପ୍ରଥମ ଥର ପାଇଁ ଭାରତୀୟ ମହିଳା ହକି ଟିମ୍ ଏହି ଇତିହାସ ସୃଷ୍ଟି କରିଛି । ଏହାପରେ ରାଜ୍ୟରେ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି ଭାରତୀୟ ମହିଳା ହକି ଟିମ୍ ଉପ- ଅଧିନାୟିକା ବା ଡିଫେଣ୍ଡର ଦୀପ ଗ୍ରେସ ଏକ୍କା । ତେବେ ଦୀପ ଗ୍ରେସ ଏକ୍କାଙ୍କ ଏହି ସଫଳତାର କାହାଣୀ ପଛରେ ରହିଛି ଏକ ସଂଘର୍ଷପୂର୍ଣ କାହାଣୀ ।
ଆଶା ବାନ୍ଧିଲେ ଦୀପ ଗ୍ରେସଙ୍କ ପରିବାର ଲୋକେ, ଅଲମ୍ପିକ୍ସରେ ସ୍ବର୍ଣ୍ଣ ଜିତିବ ଜାତୀୟ ଦଳ ସୁନ୍ଦରଗଡ଼ ଜିଲ୍ଲାର ଏକ ଉପାନ୍ତ ଅଞ୍ଚଳ ଓ ଏକ ନିପଟ ମଫସଲ ଲୁଲୁକିଜିହି ବ୍ରାହ୍ମଣିବାହଲ ଗାଁରେ ଜନ୍ମ ନେଇଥିଲେ ଦୀପ ଗ୍ରେସ । ଲୁଲକିଡିହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ପଞ୍ଚମ ଶ୍ରେଣୀ ପାସ କରିବା ପରେ ସେ ସୁନ୍ଦରଗଡ ଟାଉନ ସରକାରୀ ଉଚ୍ଚ ବିଦ୍ୟାଲୟରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇଥିଲେ । କହିବାକୁ ଏଠାରୁ ହିଁ ଦୀପ ଗ୍ରେସଙ୍କ ହକି ଯାତ୍ରା ଆରମ୍ଭ ହୋଇଥିଲା । ଘର ଅଗଣାରେ ଏକ ବାଉଁଶ ବା କେନ୍ଦୁ ବାଡ଼ି ଧରି ସେ ହକି ଖେଳିବା ଆରମ୍ଭ କରିଥିଲେ । ବଡ ଭାଇ ଡେଭିଡ ୱିଲସନ ଏକ୍କା , ଦୀନେଶ ଏକ୍କା , ଦୀପକ ଏକ୍କାଙ୍କ ସହ ପ୍ରଥମେ ହକି ଖେଳିଥିଲେ ଦୀପଗ୍ରେସ ।
ହକି କୌଶଳ ପାଇଁ ସ୍ଥାନୀୟ ଅଞ୍ଚଳରେ ଦୀପ ଗ୍ରେସ ଏକ ପରିଚୟ ପାଇଥିଲେ । ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ଥିବା ବ୍ରୁଟୋ ନାମକ କୋଚଙ୍କଠାରୁ ସେ କୋଚିଂ ନେବା ଆରମ୍ଭ କରିଥିଲେ । ହକି ପ୍ରତି ତାଙ୍କ ନିଷ୍ଠା ଓ ତପସ୍ୟା ଯୋଗୁଁ ସେ ଆଜି ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟର ନାଁ ଉଜ୍ଜଳ କରିଛନ୍ତି । ବର୍ତ୍ତମାନ ଟୋକିଓ ଅଲମ୍ପିକ୍ସରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ହାସଲ କରିବ ବୋଲି ଆଶାବାଦୀ ଅଛନ୍ତି ଦୀପ ଗ୍ରେସଙ୍କ ପରିବାର ଲୋକେ ।
ହକି ଖେଳ ସହ ନିଜ ବ୍ୟବହାର ପାଇଁ ସଭିଙ୍କ ନିକଟରେ ପ୍ରଶଂସିତ ହୋଇପାରିଛନ୍ତି ଦୀପ ଗ୍ରେସ ଏକ୍କା । ଯେବେ ବି ସେ ଘରକୁ ଫେରନ୍ତି ସେ ଘର କରଣା କାର୍ଯ୍ୟ ସହ ଘରେ ଥିବା ଗୃହପାଳିତ ପଶୁଙ୍କ ସେବା କରନ୍ତି । ବର୍ତ୍ତମାନ ସ୍ଥିତିରେ ଭାରତୀୟ ମହିଳା ହକି ଦଳ ଓ ଦୀପ ଗ୍ରେସ ଏକ୍କା ଦମଦାର ପ୍ରଦର୍ଶନ କରି ଫାଇନାଲ ପହଞ୍ଚନ୍ତୁ ବୋଲି କାମନା କରିଛନ୍ତି ତାଙ୍କ ପରିବାର ଲୋକେ । ଯାହା ଫଳରେ ରାଜ୍ୟ ସହ ଦେଶ ନାମ ଟେକ ରଖି ପାରିବେ ଦୀପ ଗ୍ରେସ ଏକ୍କା । ସୁନ୍ଦରଗଡ଼ର ସୁନା ଝିଅଙ୍କୁ ନେଇ ଆଶାବାଦୀ ରହିଛନ୍ତି ରାଜ୍ୟବାସୀ ।
ସୁନ୍ଦରଗଡ଼ରୁ ହରିହର ଦାସମହାପାତ୍ର, ଇଟିଭି ଭାରତ