ବରଗଡ:ଜାପାନର ଟୋକିଓରେ ଚାଲିଥିବା ପାରାଲମ୍ପିକ୍ସ ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ଆଜି ସ୍ବର୍ଣ୍ଣ ପଦକ ଜିତିବା ପରେ ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ପ୍ରମୋଦ ଭଗତ ବରଗଡ଼ ଜିଲ୍ଲା ଅତାବିରା ଟାଉନର ହୋଇଥିବାବେଳେ ଆଜି ପ୍ରମୋଦ ଦେଶ ପାଇଁ ଆଣିଥିବା ଏହି ସ୍ବର୍ଣ୍ଣ ବିଜୟରେ ଅତାବିରାବାସୀ ମଧ୍ୟରେ ଖୁସିର ଲହର ଖେଳିଯାଇଛି ।
ଦେଶପାଇଁ ସ୍ୱର୍ଣ୍ଣ ପଦକ ଜିତିଲେ ବରଗଡର ପ୍ରମୋଦ, ଅଞ୍ଚଳରେ ଉତ୍ସବର ମାହୋଲ ଫାଇନାଲରେ ବ୍ରିଟେନ ପ୍ରତିଦ୍ବନ୍ଦ୍ବୀ ଡାନ୍ ବେଥେଲଙ୍କୁ ହରାଇ ପ୍ରମୋଦ ସ୍ବର୍ଣ୍ଣ ପଦକ ଆଣିଛନ୍ତି । ଫାଇନାଲରେ ପ୍ରମୋଦ ତାଙ୍କ ବ୍ରିଟେନ ପ୍ରତିଦ୍ବନ୍ଦ୍ବୀଙ୍କୁ ୨୧-୧୪, ୨୧-୧୭ ସେଟ୍ରେ ହରାଇଛନ୍ତି । ପ୍ରଥମ ସେଟ୍ରେ ଆଗୁଆ ରହିବା ପରେ ୨ୟ ସେଟ୍ରେ ମଧ୍ୟ ବିଜୟୀ ହୋଇଥିଲେ ।
ସେମିଫାଇନାଲ ମ୍ୟାଚ୍ରେ ପ୍ରମୋଦଙ୍କ ମୁକାବିଲା ଜାପାନରେ ଡି.ଫୁଜିହାରାଙ୍କ ସହ ହୋଇଥିଲା। ଏହି ମ୍ୟାଚ୍ ପ୍ରମୋଦ ଏକତରଫା ଭାବେ ୨-୦ ସେଟ୍ରେ ଜିତି ଫାଇନାଲରେ ପ୍ରବେଶ କରିଥିଲେ। ପ୍ରଥମ ସେଟ୍ରେ ୨୧-୧୧ରେ ଜିତିଥିବା ପ୍ରମୋଦ ଦ୍ବିତୀୟ ସେଟ୍ରେ ମଧ୍ୟ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ୨୧-୧୬ରେ ଜିତି ପ୍ରମୋଦ ସ୍ବର୍ଣ୍ଣ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ପ୍ରମୋଦ ସ୍ବର୍ଣ୍ଣ ଜିତିବା ପରେ ଟୋକିଓ ଅଲମ୍ପିକ୍ସିରେ ଭାରତ ପଦକ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି । ପ୍ରମୋଦଙ୍କ ଏହି ବିଜୟ ପରେ ତାଙ୍କ ଗାଁରେ ଆନନ୍ଦର ଲହରୀ ଖେଳିଯାଇଛି । ବିଭିନ୍ନ ମହଲରୁ ପ୍ରମୋଦଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ