ମୋନାକୋ: ବିଶ୍ବର ଦୁଇ ନମ୍ବର ଟେନିସ ତାରକା ଡେନିଲ ମେଦବେଦେବ କୋରୋନା ସଂକ୍ରମିତ ହୋଇଛନ୍ତି। ଫଳରେ ମଣ୍ଟେ କାର୍ଲୋ ମାଷ୍ଟର୍ସରୁ ତାଙ୍କୁ ଓହରିବାକୁ ପଡ଼ିଛି। ଏହାକୁ ନେଇ ଏଟିପି ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ଗତ ଏପ୍ରିଲ 12 ତାରିଖରେ ମେଦବେଦେବ ନିଜର କୋରୋନା ଯାଞ୍ଚ କରାଇଥିବା ବେଳେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା।
ଏଟିପି ପକ୍ଷରୁ ଟ୍ବିଟ କରି କୁହାଯାଇଛି ଯେ, "ଏପ୍ରିଲ 12 ତାରିଖରେ ମେଦବେଦେବ କୋରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଥିଲା। ଏଥିପାଇଁ ସେ ମଣ୍ଟେ କାର୍ଲୋ ମାଷ୍ଟର୍ସରୁ ଓହରି ଯାଇଛନ୍ତି।"
ମାରାତ୍ମକ କୋରୋନା ଭାଇରସରେ ସଂକ୍ରମିତ ହେବାପରେ ସେ ଆଇସୋଲେସନରେ ରହିଛନ୍ତି। ଏହାସହ ତାଙ୍କ ଚିକିତ୍ସାକୁ ନେଇ ବିଶେଷ ଧ୍ୟାନ ଦିଆଯାଉଛି। ଟୁର୍ଣ୍ଣାମେଣ୍ଟର ଫିଜିକ୍ସିଆନ ଓ ଏଟିପିର ଡାକ୍ତରୀ ଦଳ ତାଙ୍କର ଉପରେ ନଜର ରଖିଛନ୍ତି। ଏଥିପାଇଁ ତାଙ୍କ ପ୍ରଶଂସକଙ୍କୁ ଚିନ୍ତା ନକରିବାକୁ ଏଟିପି ପକ୍ଷରୁ କୁହାଯାଇଛି।
ସେପଟେ ମଣ୍ଟେ କାର୍ଲୋ ମାଷ୍ଟର୍ସରୁ ବାଦ ପଡ଼ିବା ପରେ ଦୁଃଖ ଜାହିର କରିଛନ୍ତି ଡେନିଲ ମେଦବେଦେବ। ସେ କହିଛନ୍ତି ଯେ, "ମଣ୍ଟେ କାର୍ଲୋ ମାଷ୍ଟର୍ସ ନଖେଳିବା ମୋ ପାଇଁ ଦୁଃଖର ବିଷୟ। ବର୍ତ୍ତମାନ ମୁଁ ମୋ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେଉଛି। ମୁଁ ଖୁବଶୀଘ୍ର ଟେନିସ କୋର୍ଟକୁ ଫେରିବାକୁ ଆସା ରଖିଛି।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ