ନ୍ୟୁୟର୍କ:ୟୁଏସ ଓପନ ଫାଇନାଲରେ ପହଞ୍ଚିଲେ ବିଶ୍ବର ନମ୍ବର ୧ ଖେଳାଳି ସର୍ବିୟାର ନୋଭାକ ଜୋକଭିକ୍ । ସେମିଫାଇନାଲରେ ଆଲେକଜାଣ୍ଡର ଜ୍ବେରେବଙ୍କୁ ହରାଇ ଚଳିତ ବର୍ଷର ଶେଷ ଗ୍ରାଣ୍ଡସ୍ଲାମ ୟୁଏସ ଓପନ ଫାଇନାଲରେ ପହଞ୍ଚିଛନ୍ତି ।
ଜୋକଭିକ ସେମିଫାଇନାଲ ମୁକାବିଲାରେ ଜ୍ବେରେବଙ୍କୁ ୪-୬, ୬-୨, ୬-୪, ୪-୬ ଓ ୬-୨ ସେଟ୍ରେ ହରାଇ ଫାଇନାଲରେ ସ୍ଥାନ ପକା କରିଛନ୍ତି । ଏଥିସହ କ୍ୟାଲେଣ୍ଡର ସ୍ଲାମ ପୂରଣ କରିବାକୁ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛନ୍ତି ।
ଜୋକଭିକ ଯଦି ଫାଇନାଲ ମୁକାବିଲାରେ ବିଜୟୀ ହୁଅନ୍ତି, ତେବେ ସେ ୧୯୬୯ରେ ରୋଡ୍ ଲେବେରଙ୍କ ପରେ ଗୋଟିଏ ସିଜିନରେ ୪ଟି ବଡ ଟ୍ରଫି ବିଜେତା ପ୍ରଥମ ବ୍ୟକ୍ତି ହେବେ ।
ଟାଇଟେଲ ଲଢେଇରେ ଜୋକଭିକଙ୍କ ସାମ୍ନା ଡାନିଲ ମେଡେଭେଡେବଙ୍କ ସହ ହେବ । ଜୋକଭିକ ଚଳିତ ବର୍ଷ ଅଷ୍ଟ୍ରେଲିଆନ ଓପନ, ଫ୍ରେଞ୍ଚ୍ ଓପନ ଓ ୱିମ୍ବଲଡନ ଟାଇଟେଲ ମଧ୍ୟ ଜିତିଛନ୍ତି । ଯଦି ୟୁଏସ ଓପନ ଟାଇଟେଲ ଜିତିବାରେ ସଫଳ ହୁଅନ୍ତି, ତେବେ ଜୋକଭିକ ନିଜ କ୍ୟାରିୟରର ରେକର୍ଡ ୨୧ତମ ଗ୍ରାଣ୍ଡସ୍ଲାମ ଟାଇଟେଲ ହାସଲ କରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ