ଦୁବାଇ:ଏକ କ୍ରିକେଟ ମ୍ୟାଚ୍ରେ ଜଣେ ଖେଳାଳି କିମ୍ବା ଟିମକୁ କଏନ ଟସ୍ ପାଇଁ ଦୋଷୀ କରାଯାଇ ନପାରେ । ଏହା ସମ୍ପୂର୍ଣ୍ଣ ଭାଗ୍ୟ ଉପରେ ନିର୍ଭର କରେ । କଏନଟି ଉପରକୁ ପଡିବା ପରେ ହେଡ୍ସ କିମ୍ବା ଟେଲ୍ସ ଦେଖାଇବା ତାହା କାହାରି ହାତରେ ନଥାଏ କିମ୍ବା ପୂର୍ବାନୁମାନ କରିହୁଏ ନାହିଁ । ଏହା କୌଣସି ପ୍ରକାର ଦୁର୍ବଳତାର ମଧ୍ୟ କାରଣ ହୋଇନଥାଏ ।
କିଛି କ୍ୟାପଟେନ ଟସ୍କୁ ନେଇ ଭାଗ୍ୟବାନ ରହିଛନ୍ତି ତ କିଛିଜଣ କିଛି ଜିତିଛନ୍ତି କିଛି ହାରିଛନ୍ତି । ତେବେ କିଛିଜଣ ଟସ୍ ମାମଲାରେ ବିଲକୁଲ୍ ଦୁର୍ଭାଗ୍ୟଶାଳୀ ରହିଛନ୍ତି । ବେଳେବେଳେ ଏହା ପିଚ୍ ପରିବେଶ ଓ ପାଗ ଉପରେ ମଧ୍ୟ ସାମ୍ନାନ୍ୟ ନିର୍ଭର କରିଥାଏ ।
ଟସ୍ର ଫଳାଫଳ ଏକ ବଡ ମ୍ୟାଚ୍ ଉପରେ ମଧ୍ୟ ବଡ ପ୍ରଭାବ ପକାଇଥାଏ । ଚଳିତ ଟି-୨୦ ବିଶ୍ବକପରେ ଟିମ ଇଣ୍ଡିଆ ସଦ୍ୟ ଖେଳିଥିବା ପ୍ରଥମ ଦୁଇଟି ମ୍ୟାଚ୍ରେ ଏହା ପ୍ରମାଣିତ ହୋଇଥିବା ଦେଖାଯାଇଛି । ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିଥିଲା । ସନ୍ଧ୍ୟା ମ୍ୟାଚ୍ରେ କାକର ଯୋଗୁଁ ଦ୍ବିତୀୟ ବ୍ୟାଟିଂ ସହଜ ହେଉଥିବାରୁ ଦୁଇଟି ମ୍ୟାଚ୍ରେ ଟସ୍ର ଭୂମିକା ନିର୍ଣ୍ଣାୟକ ରହିଥିଲା । ବଡ ପରାଜୟ ପରେ ଭାରତ ସେମିଫାଇନାଲ ସ୍ଥାନ ପାଇଁ ଟୁର୍ଣ୍ଣାମେଣ୍ଟରେ ସଂଘର୍ଷ କରୁଛି ।
କ୍ୟାପଟେନ ବିରାଟ କୋହଲି ଟିମ ଇଣ୍ଡିଆର ସବୁଠୁ ସଫଳତମ ଟେଷ୍ଟ କ୍ୟାପେଟନ । ଜଣେ ବ୍ୟାଟ୍ସମ୍ୟାନ ଭାବେ କୋହଲିଙ୍କ ନାମରେ ରହିଛି ଅବିଶ୍ବସନୀୟ ରେକର୍ଡ । ଏପରିକି କ୍ରିକେଟର ଭିନ୍ନ ଫର୍ମାଟରେ କୋହଲିଙ୍କ ଅଧିନାୟକତ୍ବରେ ଟିମ ଇଣ୍ଡିଆ ସ୍ମରଣୀୟ ବିଜୟ ହାସଲ କରିଛି । ମାତ୍ର ପରିସଂଖ୍ୟାନ କୁହେ ଅଧିନାୟକତ୍ବ କାର୍ଯ୍ୟକାଳରେ ଟସ୍କୁ ନେଇ ଭାଗ୍ୟବାନ ରହିନାହାନ୍ତି କୋହଲି ।