ଦୁବାଇ: ଟି-ଟ୍ବେଣ୍ଟି ବିଶ୍ବକପରେ ଆଜି(ରବିବାର) ଏକ ଗୁରୁତ୍ବପୂର୍ଣ୍ଣ ମୁକାବିଲା ହେବ । ମୁକାବିଲାରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ଆଜିର ମ୍ୟାଚ ଦଳ ପାଇଁ ଅଗ୍ନି ପରୀକ୍ଷା ସଦୃଶ୍ୟ । ମ୍ୟାଚ ସମୟ ଯେତିକି ପାଖେଇ ଆସୁଛି କ୍ରେକେଟପ୍ରେମୀ ଓ ଖେଳାଳିଙ୍କ ହୃଦ ସ୍ପନ୍ଦନ ବଢିବାରେ ଲାଗିଛି । ପାକିସ୍ତାନ ଠାରୁ ପ୍ରଥମ ମ୍ୟାଚ୍ ହାରି ବ୍ୟାକଫୁଟରେ ଥିବା ଭାରତ ପାଇଁ ଆଜି ବିଜୟ ନିହାତି ଦରକାର । ନ୍ୟୁଜିଲାଣ୍ଡ ମଧ୍ୟ ପାକିସ୍ତାନ ଠାରୁ ପ୍ରଥମ ମ୍ୟାଚ୍ରେ ହାରିଥିଲା। ତେଣୁ ଉଭୟ ଟିମ୍ ପାଇଁ ଆଜିର ମ୍ୟାଚ୍ ବେଶ ଗୁରୁତ୍ବପୂର୍ଣ୍ଣ। ଉଭୟ ଦଳ ପାଇଁ ବିଜୟ ସେମି ଫାଇନାଲ ବାଟ ଖୋଲିବ ପରାଜିତ ହେଲେ ଆଶା ମଉଳି ଯିବ । ଆଜିର ମ୍ୟାଚ ଜିତିବାକୁ ଉଭୟ ଦଳ ଚେଷ୍ଟା କରିବେ ।
ଗ୍ରୁପ-ବିରେ ପାକିସ୍ତାନର କ୍ରମାନ୍ବୟ ହାଟ୍ରିକ ବିଜୟ ପରେ ଭାରତ ଓ ନ୍ୟୁଜିଲାଣ୍ଡ ପାଇଁ ସେମିଫାଇନାଲ ରାସ୍ତା ଜଟିଳ ହୋଇଛି । ଉଭୟ ଦଳକୁ ପାକିସ୍ତାନ ହରାଇବା ପରେ ଏପରି ସ୍ଥିତି ଉପୁଜିଛି । ପାକିସ୍ତାନ ବିପକ୍ଷ ପରାଜୟ ଭାରତ ପାଇଁ ଦୁଃସ୍ବପ୍ନ ସାବ୍ୟସ୍ତ ହୋଇଛି । ଏହାକୁ ଭୁଲି ଭାରତ ଏକ ଭଲ ଆରମ୍ଭ ଲକ୍ଷ୍ୟରେ ରହିଛି । ପୁରୁଣା ଭୁଲକୁ ସୁଧାରି ଆଜି ନ୍ୟୁଜିଲାଣ୍ଡ ସହିତ ଟକ୍କର ଦେବ ଭାରତ । ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡର ବିଜୟ ହାର ୫୬.୨୫ ପ୍ରତିଶତ ରହିଛି । ତେଣୁ ଆଜିର ମ୍ୟାଚକୁ ଜିତିବାକୁ ପ୍ରାଣ ପଣେ ଚେଷ୍ଟା କରିବା ଟିମ ଇଣ୍ଡିଆ । କୋହଲି ଜଣେ ଲଢୁଆ ଓ ଆକ୍ରମଣାତ୍ମକ ଖେଳାଳି ଭାବେ ଜଣାଶୁଣା । ପାକିସ୍ତାନଠୁ ପରାଜୟ ହେବା ପରେ ଅନେକ ସମାଲୋଚନାର ଶିକାର ହୋଇଥିଲା ଭାରତ । ସମାଲୋଚନା ଓ ବିଫଳତାକୁ ପଛରେ ପକାଇ କମବ୍ୟାକ କରିବାକୁ ଲକ୍ଷ୍ୟ ରଖିଛି ଭାରତ । ଭାରତ ଓ ବିରାଟଙ୍କ ପାଇଁ ଆଜିର ମ୍ୟାଚ ଅଗ୍ନିପରୀକ୍ଷା ହୋଇଛି ।