ଆବୁଧାବି: ଟି-ଟେଣ୍ଟି ବିଶ୍ବକପରେ ଗୁରୁବାର ଅନୁଷ୍ଠିତ ଏକ ମ୍ୟାରେ ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ ମୁହାଁମୁହିଁ ହୋଇଥିଲେ । ଦମଦାର ପ୍ରଦର୍ଶନ କରି ଇଣ୍ଡିଜକୁ ୨୦ ରନରେ ପରାସ୍ତ କରିଛି ଶ୍ରୀଲଙ୍କା । ଇଣ୍ଡିଜ ଖେଳାଳିମାନେ ମ୍ୟାଚରେ ମିରାକିଲ କରିବାରେ ବିଫଳ ହୋଇଥିଲେ । ଫଳରେ ମ୍ୟାଚଟିକୁ ହାତେଇ ନେଇଛି ଶ୍ରୀଲଙ୍କା । ଏହା ସହିତ ଟି-ଟ୍ବେଣ୍ଟି ସେମିଫାଇନାଲ ରେସରୁ ବାଦ ପଡିଛି ୱେଷ୍ଟଇଣ୍ଡିଜ ।
ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଜବରଦସ୍ତ ବ୍ୟାଟିଂ କରିଥିଲା ଶ୍ରୀଲଙ୍କା । ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ୱେଷ୍ଟଇଣ୍ଡିଜ୍ । ପ୍ରଥମ ୱିକେଟ ପତନ ବେଳକୁ ଶ୍ରୀଲଙ୍କା ଓପନରମାନେ ଖାତାରେ ୪୨ ରନ୍ ଯୋଡ଼ିଥିଲେ । କୁଶାଲ ପେରାରା ୨୯ ରନ୍ କରି ରସେଲଙ୍କ ଶିକାର ହୋଇଥିଲା । ଏହାପରେ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଚରିତ ଆଶାଲଙ୍କା ଓ ପାଥୁମ ନିଶଙ୍କଙ୍କ ମଧ୍ୟରେ ୯୧ ରନ୍ର ଭାଗିଦାରୀ ହୋଇଥିଲା । ଫଳରେ ଦଳ ଏକ ବିଶାଳ ଟାର୍ଗେଟ ଦେବାକୁ ସକ୍ଷମ ହୋଇଥିଲା ।
ନିର୍ଦ୍ଧାରିତ ୨୦ ଓଭରରେ ଶ୍ରୀଲଙ୍କା ୩ ୱିକେଟ ହରାଇ ୧୮୯ ରନ୍ କରିଥିଲା । ଚରିତ ଆଶାଲଙ୍କା ଓ ପାଥୁମ ନିଶଙ୍କ ସର୍ବାଧିକ ୫୧ ଓ ୬୮ ରନ୍ କରିଥିଲେ । ସେପଟେ ଶ୍ରୀଲଙ୍କା ବ୍ୟାଟରଙ୍କ ସାମ୍ନାରେ ୱେଷ୍ଟଇଣ୍ଡିଜ ବୋଲରଙ୍କ ସମସ୍ତ ଯୋଜନା ଫେଲ ମାରିଥିଲା । ପଡ଼ିଆର ସମସ୍ତ ଦିଗରୁ ରନ୍ ସଂଗ୍ରହ କରିଥିଲେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ । ୱେଷ୍ଟଇଣ୍ଡିଜ୍ ପକ୍ଷରୁ ରସଲ ଦୁଇଟି ଓ ବ୍ରୋଭୋ ଗୋଟିଏ ୱିକେଟ ନେବାରେ ସଫଳ ହୋଇଥିଲେ ।
ୱେଷ୍ଟଇଣ୍ଡିଜ୍ ୧୯୦ ରନ୍ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା । ଶ୍ରୀଲଙ୍କା ବୋଲର ରଣନୀତି ଆଗରେ ତିଷ୍ଠି ପାରି ନଥିଲା ଇଣ୍ଡିଜ । ଦଳକୁ ବିଜୟୀ କରିବା ପାଇଁ ଗେଲଙ୍କ ସଂଘର୍ଷ ଜାରି ରହିଥିଲା । ଶ୍ରୀଲଙ୍କା ଦଳର ଶୃଙ୍ଖଳିତ ବୋଲିଂ ଦଳ ଉପରେ ଚାପ ପକାଇଥିଲା । ବିନୁରା ଫର୍ନାଣ୍ଡୋ ଦ୍ବିତୀୟ ଓଭରରେ ଗେଲ ଏବଂ ଇଭିନ୍ ଲୁଇସଙ୍କୁ ଆଉଟ କରିଥିଲେ । ପରେ ପୋରାନ ୪୬ ରନ ହେଟମେୟା ମିଶି ଭଲ ବ୍ୟାଟିଂ କରିଥିଲେ । ହେଲେ ପଛକୁ ପଛ ୱେଷ୍ଟଇଣ୍ଡିଜର ୱିକେଟ ପତନ ହେବା ଦଳକୁ ସଙ୍କଟରେ ପକାଇ ଦେଇଥିଲା । ୬ ଓଭର ବେଳକୁ ଦଳ ୩ଟି ୱେକେଟ ହରାଇ ସାରିଥିଲା । ବିଜୟ ପାଇଁ ଆବଶ୍ୟକୀୟ ରନ ସଂଗ୍ରହ କରି ପାରିନଥିଲା ଇଣ୍ଡିଜ । ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ ହରାଇ ୧୬୯ରନ କରିଥିଲା ଇଣ୍ଡିଜ । ଫଳରେ ଶ୍ରୀଲଙ୍କାଠୁ ୨୦ରନ ପରାସ୍ତ ହୋଇ ସେମିଫାଇନାଲ ଦୌଡରୁ ବାଦ ପଡିଛି ୱେଷ୍ଟଇଣ୍ଡିଜ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ