ଶରାଜାହ:ଚଳିତ ଟି-ଟ୍ବେଣ୍ଟି ବିଶ୍ବକପର ସୁପର-୧୨ ରାଉଣ୍ଡ(ଗ୍ରୁପ-1)ରେ ଆଜି(ସୋମବାର) ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ହେବ ଟକ୍କର । ୩ଟି ମ୍ୟାଚରେ ଜିତି ସାରିଥିବା ଇଂଲଣ୍ଡ ଆଜି ଶ୍ରୀଲଙ୍କାକୁ ହରାଇ ସେମିଫାଇନାଲରେ ସ୍ଥାନ ପକ୍କା କରିବାକୁ ପ୍ରୟାସ କରିବ । ଶ୍ରୀଲଙ୍କା ପାଇଁ ଆଜିର ମ୍ୟାଚ 'କର ବା ମର' ପରିସ୍ଥିତି ସୃଷ୍ଟି କରିଛି । ଏ ପର୍ଯ୍ୟନ୍ତ ଶ୍ରୀଲଙ୍କା ୩ଟି ମ୍ୟାଚ ଖେଳି ୨ ପଏଣ୍ଟ ହାସଲ କରିଛି । ଆଜି ମ୍ୟାଚରେ ପରାଜିତ ହେଲେ ସେମି ଦୌଡରୁ ବାଦ ପଡିବାଟା ଶ୍ରୀଲଙ୍କା ପାଇଁ ନିଶ୍ଚିନ୍ତ ।
ଏହା ଭିତରେ ଇଂଲଣ୍ଡ ଅଷ୍ଟ୍ରେଲିଆ, ୱେଷ୍ଟ ଇଣ୍ଡିଜ୍ ଓ ବାଂଲାଦେଶକୁ ପରାସ୍ତ କରିସାରିଛି । ଶେଷ ୨ଟି ମ୍ୟାଚରେ ଆଜି ଶ୍ରୀଲଙ୍କା ଓ ପରେ ଦକ୍ଷିଣ ଆଫ୍ରିକାକୁ ଭେଟିବ । ଶ୍ରୀଲଙ୍କା ଶେଷ ୨ଟି ମ୍ୟାଚରେ ଇଂଲଣ୍ଡ ଓ ୱେଷ୍ଟ ଇଣ୍ଡିଜକୁ ଭେଟିବ । ଇଂଲଣ୍ଡର ବିଜୟଧାରାରେ ବ୍ରେକ ଲଗାଇବାକୁ ଶ୍ରୀଲଙ୍କାର ଯଥେଷ୍ଟ କ୍ଷମତା ରହିଛି । ଦଳର ସ୍ପିନ ବୋଲିଂ ବିଭାଗ ଶକ୍ତିଶାଳୀ ଥିବାରୁ ଇଂଲଣ୍ଡର ବିପର୍ଯ୍ୟୟ ହୋଇପାରେ । ନିଜ ବିଶ୍ବକପ ଅଭିଯାନରେ ଆଉ ପାଦେ ଆଗକୁ ବଢିବାକୁ ଆଜି ଶ୍ରୀଲଙ୍କା ପ୍ରୟାସ କରିବ । ଆଜି ସମ୍ମାନ ରଖିବାକୁ ପଡିଆକୁ ଓହ୍ଲାଇବ ଶ୍ରୀଲଙ୍କା ।
ଟି-ଟ୍ବେଣ୍ଟି ବିଶ୍ବକପରେ ଇଂଲଣ୍ଡର ଭଲ ରେକର୍ଡ ରହିଛି । ଆଜିର ମ୍ୟାଚ ଇଂଲଣ୍ଡ ପାଇଁ ଢେର ଗୁରୁତ୍ବପୂର୍ଣ୍ଣ ହେବ । ଯଦି ଶ୍ରୀଲଙ୍କା ଅସ୍ଥିର ପ୍ରଦର୍ଶନ କରେ ତେବେ ଇଂଲଣ୍ଡ ତାର ଫାଇଦା ନେଇପାରେ । ଜୋସ ବଟଲର ଚମତ୍କାର ଫର୍ମରେ ଅଛନ୍ତି । ଜୋସଙ୍କ ଉପରେ ସମସ୍ତଙ୍କ ନଜର ରହିବ। ପୂର୍ବରୁ ଉଭୟ ଦଳ ବିଶ୍ବକପରେ ୪ ଥର ପରସ୍ପରକୁ ଭେଟିଛନ୍ତି । ଇଂଲଣ୍ଡ ୪ଥର ବିଜୟୀ ହୋଇଛି ।