ଆବୁଧାବି:ଫେଲ୍ ମାରିଲା ସବୁ ସମୀକରଣ । ଟିମ ଇଣ୍ଡିଆ ପାଇଁ ଚଳିତ ଟି-୨୦ ବିଶ୍ବକପର ବନ୍ଦ ହୋଇଗଲା ସେମିଫାଇନାଲ ରାସ୍ତା। ଶୈଖ ଜାଏଦ ଷ୍ଟାଡିୟମ ଆବୁଧାବିରେ ଖେଳାଯାଇଥିବା ସୁପର ୧୨ ମୁକାବିଲାରେ ନ୍ୟୁଜିଲାଣ୍ଡ ଠାରୁ ଆଫଗାନିସ୍ତାନ ପରାସ୍ତ ହେବାପରେ ଗ୍ରୁପ ୨ର ଶୀର୍ଷ ଦୁଇଟି ଟିମ ଚୁଡାନ୍ତ ହୋଇଛି । ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ଗ୍ରୁପ ୨ ରୁ ସେମିଫାଇନାଲ ଖେଳିବା ନେଇ ସ୍ପଷ୍ଟ ହୋଇଛି ।
୧୨୫ ରନ୍ର ସହଜସାଧ୍ୟ ଲକ୍ଷ୍ୟକୁ ୧୮.୧ ଓଭରରେ ହାସଲ କରିବା ସହ କେନ ୱିଲିୟମସନଙ୍କ ଟିମ ଟି-୨୦ ବିଶ୍ବକପ ୨୦୨୧ର ସେମିଫାଇନାଲରେ ସ୍ଥାନ ପକ୍କା କରିଛି । ନ୍ୟୁଜିଲାଣ୍ଡ ଏହି ବିଜୟ ଦ୍ବାରା କେବଳ ସେମିଫାଇନାଲ ଟିକେଟ ପକ୍କା କରିନି ବରଂ ଉଭୟ ଭାରତ ଓ ଆଫଗାନିସ୍ତାନକୁ ଟୁର୍ଣ୍ଣାମେଣ୍ଟର ବାହାର ରାସ୍ତା ଦେଖାଇଛି ।
ତୃତୀୟ ଥର ପାଇଁ ନ୍ୟୁଜିଲାଣ୍ଡ ଟି-୨୦ ବିଶ୍ବକପ ସେମିଫାଇନାଲରେ ପ୍ରବେଶ କରିଛି । ଏହାପୂର୍ବରୁ ୨୦୦୭ ଓ ୨୦୧୬ରେ ସେମିରେ ପହଞ୍ଚିଥିଲା ବ୍ଲାକକ୍ୟାପ୍ସ ।
ନଜିବୁଲ୍ଲା ଜର୍ଡାନଙ୍କ ୪୮ ବଲ୍ରୁ ୭୩ ରନ୍ର ଇଂନିସ ବଳରେ ଆଫଗାନିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୨୪ ରନ୍ ସଂଗ୍ରହ କରିଥିଲା । ଜର୍ଡାନ ଆଫଗାନ ପାଇଁ ବ୍ୟାଟ୍ରେ ଏକମାତ୍ର ଖେଳାଳି ଭାବେ ଲଢୁଆ ପ୍ରଦର୍ଶନ କରିଥିଲେ । କ୍ୟାପଟେନ ମହମ୍ମଦ ନବି ୧୪ ଓ ଗୁଲବାଦିନ ନେଇବ ୧୫ ରନ୍ର ଯୋଗଦାନ କରିଥିଲେ । ତେବେ ଅନ୍ୟ ସମସ୍ତ ଖେଳାଳି ଫେଲ୍ ମାରିଥିଲେ ।