ଦୁବାଇ:ଚଳିତ ଟି-ଟେଣ୍ଟି ବିଶ୍ବକପରେ ଆଜି(ଗୁରୁବାର) ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଖେଳାଯିବ । ଅପରାଜେୟ ପାକିସ୍ତାନ ସହ ଖେଳିବ ଅଷ୍ଟ୍ରେଲିଆ । ୫ ଥର ଦିନିକିଆ ବିଶ୍ବକପ ଟାଇଟଲ ହାତେଇଥିବା ଅଷ୍ଟ୍ରେଲିଆ ଏ ପର୍ଯ୍ୟନ୍ତ ଟି-ଟେଣ୍ଟି ବିଶ୍ବକପ ଚମ୍ପିୟାନ ହୋଇନାହିଁ । ଆଜି ପାକିସ୍ତାନ ବିପକ୍ଷରେ ଶ୍ରେଷ୍ଠ ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିବାକୁ ପ୍ରୟାସ କରିବ ଦଳ । ସେହିପରି ପାକିସ୍ତାନ ୨୦୧୦ ଟି-ଟେଣ୍ଟି ବିଶ୍ବକପ ସେମି ଫାଇନାଲ ପରାଜୟର ପ୍ରତିଶୋଧ ନେବାକୁ ସବୁ ଶକ୍ତି ଖଟାଇବ ।
୨୦୦୯ରେ ପାକିସ୍ତାନ ଟି-ଟେଣ୍ଟି ବିଶ୍ବକପ ଜିତିଥିଲା । ଏଥର ବାବର ଆଜମଙ୍କ ନେତୃତ୍ବରେ ଦଳ ଟାଇଟଲ ଦାବିଦାର ରୂପେ ଉଭା ହୋଇଛି । ସୁପର ୧୨ ଯାଏଁ ସବୁ ମ୍ୟାଚ ଜିତିଛି ପାକିସ୍ତାନ । ଏହା ସହିତ ଦଳର ମନୋବଳ ଦୃଢ ରହିଛି । ଅଷ୍ଟ୍ରେଲିଆକୁ ହରାଇବାକୁ ପାକିସ୍ତାନ ପାଖରେ ଯଥେଷ୍ଟ କ୍ଷମତା ଅଛି । ଦଳର ପ୍ରତି ଖେଳାଳି ଫୁଲ ଫର୍ମରେ ଅଛନ୍ତି । ବ୍ୟାଟିଂଠୁ ନେଇ ବୋଲିଂ ସବୁ ସନ୍ତୁଳିତ ରହିଛି । ବିଶେଷ କରି ଦୁଇ ଓପନର ବାବର, ମହମ୍ମଦ ରିଜୱାନ ଓ ପେସ ବୋଲର ସହିନ ଶାହ ଆଫ୍ରିଦି ଓ ମଧ୍ୟଭାର ବ୍ୟାଟ୍ସମ୍ୟାନ ଅସିଫ ଅଲି ଦଳ ପାଇଁ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିବେ । ତାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ଦୁଇ ଓପନରଙ୍କ ଉପରେ ଅଷ୍ଟ୍ରେଲିଆ ବୋଲର ଚାପ ପକାଇବାକୁ ଚେଷ୍ଟା କରିବ ।