ଦୁବାଇ:ସ୍କଟଲାଣ୍ଡ ବିପକ୍ଷରେ ୧୬ ରନ୍ରେ ବିଜୟ ହାସଲ କରିଛି ନ୍ୟୁଜିଲାଣ୍ଡ । ଫଳରେ ନ୍ୟୁଜିଲାଣ୍ଡ ପାଇଁ ସେମିଫାଇନାଲ ବାଟ ଆହୁରି ସହଜ ହୋଇଛି । ଗ୍ରୁପ-୨ରେ ପାକିସ୍ତାନ ସେମିଫାଇନାଲରେ ସ୍ଥାନ ପକ୍କା କରି ସାରିଛି । ୧୭୩ ରନ୍ ବିଜୟ ଲକ୍ଷ୍ୟ ପଡ଼ିଆ ଓହ୍ଲାଇଥିବା ସ୍କଟଲାଣ୍ଡ ଲଢ଼ୁଆ ପ୍ରଦର୍ଶନ କରି ୫ ୱିକେଟ ବିନିମୟରେ ୧୫୬ ରନ୍ କରିବାକୁ ହିଁ ସକ୍ଷମ ହୋଇ ପାରିଥିଲା ।
ଏହି ବିଶାଳ ଟାର୍ଗେଟ ହାସଲ କରିବାକୁ ପ୍ରଥମରୁ ହିଁ ଆକ୍ରାଣତ୍ମକ ବ୍ୟାଟିଂ କରିଥିଲା ସ୍କଟଲାଣ୍ଡ ଦଳ । ତେବେ ୩ ନମ୍ବର ଓଭରରେ ଦଳ ତାର ପ୍ରଥମ ୱିକେଟ ହରାଇଥିଲା । ଏହାପରେ ଜର୍ଜ ମୁନ୍ସି ଓ ମାଥ୍ୟୁ କ୍ରସ୍ଙ୍କ ମଧ୍ୟରେ ୪୦ ରନ୍ରୁ ଅଧିକ ଭାଗିଦାରୀ ଦେଖିବାକୁ ମିଳିଥିଲା । ସ୍କଟଲାଣ୍ଡର ସମସ୍ତ ବ୍ୟାଟରଙ୍କୁ ଭଲ ଆରମ୍ଭ ମିଳିଥିଲେ ସୁଦ୍ଧା କେହି ଏହାକୁ ବଡ଼ ସ୍କୋରରେ ପରିଣତ କରି ପାରିନଥିଲେ । ଦଳ ପକ୍ଷରୁ ମାଇକେଲ ଲିସ୍କ ସର୍ବାଧିକ ୪୨ ରନ୍ କରିଥିଲେ ।
ଏହାପରେ ମାଥ୍ୟୁ କ୍ରସ୍ ୨୭, ଜର୍ଜ ମୁନ୍ସି ୨୨ ରିଚି ବେରିଙ୍ଗଟନ ୨୦, କାଇଲ କୁଜର ୧୭ ରନ୍ କରିଥିଲେ । ଆଉ କୌଣସି ବ୍ୟାଟର ଆଖି ଦୃଶିଆ ସ୍କୋର କରି ପାରିନଥିଲେ । ଶେଷ ଓଭରରେ ଦଳକୁ ବିଜୟ ପାଇଁ ୨୬ ରନ୍ ଆବଶ୍ୟକ ହେଉଥିଲା । ତାହା ସମ୍ଭବ ହୋଇ ପାରିନଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ଓ ଇଶ ସୋଢ଼ୀ ଦୁଇଟି ଲେଖାଏଁ ୱିକେଟ ନେଇଥିବା ବେଳେ ଟିମ ସାଉଦି ଗୋଟିଏ ୱିକଟେ ନେଇଥିଲେ ।