ଦୁବାଇ: ଅଷ୍ଟ୍ରେଲିଆର ଟି-୨୦ ବିଶ୍ବକପ ଅଭିଯାନରେ ମ୍ୟାଚ୍ ବିଜୟୀ ହିରୋ ଭାବେ ଉଭା ହୋଇଛନ୍ତି ମିଚେଲ ମାର୍ଶ । ଅଲରାଉଣ୍ଡର ମାର୍ଶଙ୍କ ଉପରେ ସଂପୂର୍ଣ୍ଣ ଭରଷା ସହିତ କଙ୍ଗାରୁ ଟିମ ମ୍ୟାନେଜମେଣ୍ଟ ଗୁରୁତ୍ବପୂର୍ଣ୍ଣ ୩ ନମ୍ବର ସ୍ଥାନରେ ବ୍ୟାଟିଂ ପାଇଁ ପଠାଇଥିଲେ, ଯାହାକି ଫାଇନାଲ ମ୍ୟାଚ୍ରେ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା । ରବିବାର ଦୁବାଇରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ମାତ୍ର ୫୦ ବଲ୍ରୁ ମ୍ୟାଚ୍ ବିଜୟୀ ୭୭ ରନ୍ର ଦମଦାର ଇଂନିସ ଖେଳିଥିଲେ ମାର୍ଶ ।
ତେବେ କିଛି ବର୍ଷ ତଳେ ମିଚେଶ ମାର୍ଶ ଘୋଷଣା କରିଥିଲେ ଯେ, ଅଧିକାଂଶ ଅଷ୍ଟ୍ରେଲିଆ ତାଙ୍କୁ ଘୃଣା କରନ୍ତି । ଆହତ କାରଣରୁ ବାରମ୍ବାର ଖରାପ ପ୍ରଦର୍ଶନ ଯୋଗୁଁ ତାଙ୍କୁ ସମାଲୋଚିତ ହେବାକୁ ପଡିଥିଲା । ଏକ ସାମ୍ବାଦିକ ସମ୍ମିଳନୀରେ ଏହି ବୟାନ ରଖିଥିଲେ ମାର୍ଶ । ତେବେ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୭୩ ରନ୍ର ଟାର୍ଗେଟକୁ ଅଷ୍ଟ୍ରେଲିଆ ସଫଳତାର ସହ ହାସଲ କରି ପ୍ରଥମ ଥର ଟି-୨୦ ବିଶ୍ବ ଚମ୍ପିଆନ ହେବାପରେ ରବିବାର ମାର୍ଶଙ୍କ ଏହି ପୁରୁଣା ଭିଡିଓ ଭାଇରାଲ ହୋଇଛି ।
ଅତୀତରେ ଟିମରେ ମାର୍ଶଙ୍କ ଚୟନ ପାଇଁ ଅଷ୍ଟ୍ରେଲୀୟ କ୍ରିକେଟ ଭିନ୍ନ ମତ ସହ ଦୁଇଫାଳ ହୋଇଯାଇଥିଲା । ପୂର୍ବତନ ଅଷ୍ଟ୍ରେଲୀୟ ଖେଳାଳି ଜର୍ଫ ମାର୍ଶଙ୍କ ପୁଅ ହୋଇଥିବାରୁ ଓ ଏକାଧିକ ବାର ଆହତ କାରଣରୁ ଖରାପ ପ୍ରଦର୍ଶନ ସତ୍ତ୍ବେ ଟିମରେ ସ୍ଥାନ ମିଳୁଥିବାରୁ ତାଙ୍କୁ ନେଇ ଭିନ୍ନ ପ୍ରତିକ୍ରିୟା ଅତୀତରେ ସାମ୍ନାକୁ ଆସିଛି । ପ୍ରାୟ ଏକ ଦଶନ୍ଧି ଧରି ଅଷ୍ଟ୍ରେଲୀୟ ଟିମ ସହିତ ସାମିଲ ହୋଇଥିଲେ ମଧ୍ୟ ୩୨ଟି ଟେଷ୍ଟରୁ କେବଳ କେତୋଟି ଆସେସ ଶତକ ଓ ଦିନିକିଆରେ ମାତ୍ର ଗୋଟିଏ ଥର ତିନିଅଙ୍କ ପାର୍ କରିପାରିଛନ୍ତି ଏହି କଙ୍ଗାରୁ ଅଲରାଉଣ୍ଡର ।
ମାତ୍ର ରବିବାର ଅଷ୍ଟ୍ରେଲିଆ ବିଜୟର ନାୟକ ସହ ଜାତୀୟ ହିରୋ ପାଲଟିଯାଇଛନ୍ତି ଅଲରାଉଣ୍ଡର ମାର୍ଶ । ଶେଷ ପର୍ଯ୍ୟନ୍ତ ଅପରାଜିତ ରହିବା ସହ ସେ ଅଷ୍ଟ୍ରେଲିଆକୁ ପ୍ରଥମ ଟି-୨୦ ବିଶ୍ବକପ ଟ୍ରଫି ବିଜେତା କରାଇ ଖୁସି ମନାଇଥିଲେ । ୭ଟି ବଲ୍ ବାକିଥାଇ କଙ୍ଗାରୁ ଟିମ ନ୍ୟୁଜିଲାଣ୍ଡ ପକ୍ଷରୁ ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ ହାସଲ କରିନେଇଥିଲା । ମ୍ୟାଚ୍ ପରେ ମାର୍ଶଙ୍କୁ ଅଷ୍ଟ୍ରେଲୀୟ କ୍ୟାପଟେନ ଆରୋନ ଫିଞ୍ଚ୍ ପ୍ରଂଶସା କରିବା ସହ ଆରମ୍ଭରୁ ତାଙ୍କୁ ସମର୍ଥନ କରିଆସୁଥିଲୁ ବୋଲି କହିଥିଲେ ଏବଂ ନିଜେ ଆଉଟ ହେବାପରେ ମାର୍ଶ ବ୍ୟାଟିଂ ପଇଁ ଯିବା ମ୍ୟାଚ୍ର ମୋଡ ବଦଳାଇ ଦେଇଥିଲା ବୋଲି କହିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ