ଦୁବାଇ:ଆଇସିସି ପକ୍ଷରୁ ଜାରି ହେଲା ସଦ୍ୟ ନୂଆ ଟି-୨୦ ରାଙ୍କିଂ । ନୂଆ ରାଙ୍କିଂ ମୁତାବକ ଭାରତୀୟ ଓପନର କେଏଲ ରାହୁଲ ତିନୋଟି ସ୍ଥାନ ଉପରକୁ ଉଠି ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି । ଟି-୨୦ ବିଶ୍ବକପରେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ବିପକ୍ଷରେ ଫ୍ଲପ ଶୋ ପରେ ଭାରତୀୟ ଦଳ ଲଗାତାର ତିନୋଟି ବିଜୟ ହାସଲ କରିଥିଲା । ଏହି ବିଜୟରେ କେଏଲ ରାହୁଲ ଗୁରୁତ୍ବପୂର୍ଣ୍ଣ ଭୁମିକା ବହନ କରିଥିଲେ । ତିନୋଟି ଯାକ ମ୍ୟାଚରେ ଅର୍ଦ୍ଧ ଶତକ ହାସଲ କରିଥିଲେ ।
ଫଳରେ ସେ ତିନୋଟି ସ୍ଥାନ ଉପରକୁ ଉଠି ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି । ସେପଟେ ପୂର୍ବତନ ଭାରତୀୟ ଟି-୨୦ ଅଧିନାୟକ ବିରାଟ କୋହଲି ଟି-୨୦ ବିଶ୍ବକପ୍ରେ ସେତେଟା ଭଲ ପ୍ରଦର୍ଶନ କରି ପାରିନଥିଲେ । ପାକିସ୍ତାନ ବିପକ୍ଷରେ ସେ ଏକ ଅର୍ଦ୍ଧଶତକ ହାସଲ କରିଥିଲେ । ତେବେ ଏହାପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ରନ୍ କରିବାରେ ଅସମର୍ଥ ରହିଥିଲେ । ପରବର୍ତ୍ତୀ ତିନୋଟି ମ୍ୟାଚରେ ସେ ବ୍ୟାଟିଂ କରିବାକୁ ଆସିପାରିନଥିଲେ । ଫଳରେ ସେ ପଞ୍ଚମ ସ୍ଥାନରୁ ଖସି ଅଷ୍ଟମ ସ୍ଥାନରେ ରହିଛନ୍ତି ।
ଆଇସିସିର ନୂଆ ରାଙ୍କିଂ ଅନୁଯାୟୀ ସବୁଠାରୁ ଅଧିକ ଫାଇଦାରେ ରହିଛନ୍ତି ଦକ୍ଷିଣ ଆଫ୍ରିକାର ବ୍ୟାଟର ଆଡେନ ମକ୍ରମ । ଶେଷ ଗ୍ରୁପ୍ ମ୍ୟାଚରେ ସେ ଇଂଲଣ୍ଡ ବିପକ୍ଷରେ ଧୂଆଁଦାର ୫୨ ରନ୍ କରିଥିଲେ । ମାତ୍ର ୨୫ ବଲ୍ରେ ସେ ଏହି ଅର୍ଦ୍ଧ ଶତକ ହାସଲ କରିଥିଲେ । ଫଳରେ ସେ ତିନୋଟି ସ୍ଥାନ ଉପରକୁ ଉଠି ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି । ଖାଲି ସେତିକି ନୁହେଁ ଅଲରାଉଣ୍ଡର ତାଲିକାରେ ସେ ୭ଟି ସ୍ଥାନ ଉପରକୁ ଉଠି ସପ୍ତମ ସ୍ଥାନରେ ରହିଛନ୍ତି ।