ଦୁବାଇ: ବିଦାୟୀ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଓ କ୍ରିକେଟର ଛୋଟ ଫର୍ମାଟରେ ଶେଷ ଥର ପାଇଁ ଭାରତର ନେତୃତ୍ବ ନେବାକୁ ଯାଉଥିବା କ୍ୟାପଟେନ ବିରାଟ କୋହଲିଙ୍କ ଯୋଡି ଶେଷ ହେବାକୁ ଯାଉଛି । ସେମିଫାଇନାଲ ଦୌଡରୁ ବାଦ୍ ପଡିସାରିଥିବା ଟିମ ଇଣ୍ଡିଆ ସୋମବାର ସନ୍ଧ୍ୟାରେ ଚଳିତ ଟି-୨୦ ବିଶ୍ବକପର ଶେଷ ସୁପର ୧୨ ମୁକାବିଲା ନାମ୍ବିଆ ବିପକ୍ଷରେ ଖେଳିବ । ଫଳରେ ନାମ୍ବିଆ ବିପକ୍ଷରେ ବିଜୟ ସହ ଟି-୨୦ ବିଶ୍ବକପ ଅଭିଯାନ ଶେଷ କରିବା ଲକ୍ଷ୍ୟରେ ରହିଛି ଭାରତ ।
ଶୈଖ ଜାଏଦ ଷ୍ଟାଡିୟମ, ଆବୁଧାବିରେ କିଛି ଚମତ୍କାର ହେବ ବୋଲି ଆଶା ରଖିଥିବା କୋଟିକୋଟି ଭାରତୀୟ ଫ୍ୟାନ୍ସଙ୍କ ହୃଦୟ ଭାଙ୍ଗିଯାଇଥିଲା ଯେତେବେଳେ ନ୍ୟୁଜିଲାଣ୍ଡ, ସନ୍ଧ୍ୟା ପ୍ରାୟ ୬.୩୦ ସୁଦ୍ଧା ଆଫଗାନିସ୍ତାନକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲା । ଏହି ମ୍ୟାଚ୍ର ଫଳାଫଳ ଭାରତର ସେମିଫାଇନାଲ ପ୍ରବେଶ ଉପରେ ନିର୍ଭର କରୁଥିଲା । ଆଫଗାନିସ୍ତାନର ବିଜୟ କାମନା ସହ ସେମି ଆଶା ରଖିଥିବା ଭାରତୀୟ ଫ୍ୟାନ୍ସ ନିରାଶ ହୋଇଥିଲେ । ଦମଦାର ବିଜୟ ହାସଲ କରି ସେମିରେ ସ୍ଥାନ ପକ୍କା କରିବା ସହ କେନ୍ ୱିଲିୟମସନଙ୍କ ଟିମ ଭାରତ ଓ ଆଫଗାନିସ୍ତାନକୁ ଟି-୨୦ ବିଶ୍ବକପରୁ ବିଦାୟର ରାସ୍ତା ଦେଖାଇଥିଲା ।
କେବଳ ଫ୍ୟାନ୍ସ ନୁହଁନ୍ତି ବରଂ ଭାରତୀୟ କ୍ୟାମ୍ପ୍ରେ ମଧ୍ୟ ନିରାଶା ଖେଳିଯାଇଥିଲା । BCCI'ର ଅଫିସିଆଲ ହ୍ବାଟ୍ସଆପ ଗ୍ରୁପରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉଦ୍ଦେଶ୍ୟରେ ମେସେଜ ପହଞ୍ଚିଥିଲା " ସନ୍ଧ୍ୟାରେ ହେବାକୁ ଥିବା ଅପ୍ସନାଲ ଟ୍ରେନିଂ ସେସନ୍ ବାତିଲ କରାଯାଉଛି ।" ଏହା ଭାରତୀୟ କ୍ୟାମ୍ପ୍ର ନିରାଶକୁ ବୟାନ କରିଥିଲା ।
୨୦୧୨ ସଂସ୍କରଣର ଟି-୨୦ ବିଶ୍ବକପ ଠାରୁ ଏବେ ପର୍ଯ୍ୟନ୍ତ ପ୍ରଥମ ଥର ପାଇଁ ଏକ ICC ଇଭେଣ୍ଟର ନକଆଉଟ୍ ପର୍ଯ୍ୟାୟରେ ପହଞ୍ଚିବାରେ ବିଫଳ ହୋଇଛି ଭାରତ । ଏହା ମଧ୍ୟ ବିରଳ ଯେ ଟିମ ଇଣ୍ଡିଆ ଶେଷ ଲିଗ୍ ମ୍ୟାଚ୍ ଖେଳିବା ପୂର୍ବରୁ ନୈରାଶଜନକ ପ୍ରଦର୍ଶନ ସହ ସେମିଫାଇନାଲ ଦୌଡରୁ ବାଦ୍ ପଡିସାରିଛି ।
ଚଳିତ ଟି-୨୦ ବିଶ୍ବକପରେ ଭାରତ ପ୍ରଥମ ଦୁଇଟି ମ୍ୟାଚ୍ରେ ଗୁରୁତ୍ବପୂର୍ଣ୍ଣ ଟସ୍ ହାରିଥିଲା, ଯାହା କି ମ୍ୟାଚ୍ର ଫଳାଫଳ ଉପରେ ବିଶେଷ ପ୍ରଭାବ ରହିଥିଲା । ବୋଲିଂ କୋଚ୍ ଭରତ ଅରୁଣ ମଧ୍ୟ ରବିବାର ଟସ୍ର ଭୂମିକା ନିର୍ଣ୍ଣାୟକ ରହିଥିବା ମତ ଦେଇଛନ୍ତି । ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ଠାରୁ ପରାଜୟ ପରେ ସେମିଫାଇନାଲରେ ପ୍ରବେଶ ନେଇ ଆଶଙ୍କା ଦେଖାଯାଇଥିଲା ।