ଆବୁଧାବି:ଭାରତ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଆଫଗାନିସ୍ତାନ । ଫଳରେ ଭାରତକୁ ପୁନଃ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇବାକୁ ପଡ଼ିବ । ଟି-୨୦ ବିଶ୍ବକପରେ ଭାରତର ପ୍ରଦର୍ଶନ ବର୍ତ୍ତମାନ ସୁଦ୍ଧା ନୈରାଶ୍ୟଜନକ ରହିଛି । ଉଭୟ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ପ୍ରଥମେ ବ୍ୟାଟିଂ କରି ନିମ୍ନ ସ୍କୋର୍ କରିଛି । ଫଳରେ ଦଳକୁ ବାରମ୍ବାର ପରାଜିତ ହେବାକୁ ପଡ଼ିଛି । ଲଗାତାର ଦୁଇଟି ବଡ଼ ବ୍ୟବଧାନର ପରାଜୟ ଯୋଗୁଁ ଭାରତ ପାଇଁ ସେମି ରାସ୍ତା ସଙ୍କୀର୍ଣ୍ଣ ହୋଇଛି ।
ସେପଟେ ଟସ୍ ଜିତି ଆଫଗାନିସ୍ତାନ ଅଧିନାୟକ ମହମ୍ମଦ ନବୀ କହିଛନ୍ତି ଯେ, "ଆମେ ପ୍ରଥମେ ବୋଲିଂ କରିବାକୁ ଚାହିଁବୁ । ସେକେଣ୍ଡ ଇନିଂସରେ ଅଧିକ କାକର ଦେଖିବାକୁ ମିଳିବ । ବୋଲିଂ କରିବାରେ ଅସୁବିଧା ହେବ । ଆଜିର ମ୍ୟାଚରେ ମୁଜିବ ଖେଳିବେ ନାହିଁ । ଆମେ ଆମ ପ୍ରକୃତ ଖେଳ ଖେଳି ଉପଭୋଗ କରିବାକୁ ଚେଷ୍ଟା କରିବୁ ।"
ସେପଟେ ଭାରତର ଅଧିନାୟକ ବିରାଟ କୋହଲି କହିଛନ୍ତି ଯେ, "ସେମି ଫାଇନାଲ ପାଇଁ ବର୍ତ୍ତମାନ ବି ଆମ ପାଖରେ କିଛି ସୁଯୋଗ ଅଛି ବୋଲି ଆମେ ଭାବୁଛୁ । ଆମେ ସକରାତ୍ମକ କ୍ରିକେଟ ଖେଳିବାକୁ ଚେଷ୍ଟା କରିବୁ । ଗତ ମ୍ୟାଚରେ ଆମେ ଆଶାନୁରୂପକ ପ୍ରଦର୍ଶନ କରି ପାରିନାହୁଁ । ଆମେ ମଧ୍ୟ ପ୍ରଥମେ ବୋଲିଂ କରିବାକୁ ଚାହୁଁଥିଲୁ । କିନ୍ତୁ ଏବେ ଆମେ ଭଲ ସ୍କୋର କରିବାକୁ ଚେଷ୍ଟା କରିବୁ ।"
ଏହି ମ୍ୟାଚ ପାଇଁ ଉଭୟ ଦଳରେ ଖେଳାଳି ପରିବର୍ତ୍ତନ ହୋଇଛନ୍ତି । ଆଫଗାନିସ୍ତାନ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଥିବା ବେଳେ ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରଯାଇଛି । ଦଳରେ ଇଶାନ କିଷନ ଓ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ସ୍ଥାନରେ ସୂର୍ଯ୍ୟ କୁମାର ଯାଦବ ଓ ରବିଚନ୍ଦ୍ରନ ଅଶ୍ବିନଙ୍କୁ ସ୍ଥାନ ଦିଆଯାଇଛି ।