ଭୁବନେଶ୍ବର:ବର୍ଷ ଆରମ୍ଭରୁ ଦେଖିବାକୁ ମିଳିଥିଲା COVID-19ର ଦ୍ବିତୀୟ ଲହରୀ । ଏହାରି ଭିତରେ କଡା କଟକଣା ସହ ଜୁନିୟର ହକି ବିଶ୍ବକପ ଅନୁଷ୍ଠିତ ହୋଇଥିଲା । ଓଡ଼ିଶାର ଖେଳାଳି ମାନେ ଭିନ୍ନ ଭିନ୍ନ କ୍ରୀଡା କ୍ଷେତ୍ରରେ ଓଡ଼ିଶା ମାଟି ପାଇଁ ଗୌରବ ଆଣିଥିଲେ । ତେବେ କ୍ରୀଡା କ୍ଷେତ୍ରରେ ବିଦାୟୀ ବର୍ଷ ୨୦୨୧ ରାଜ୍ୟ ପାଇଁ କିଛି ସଫଳତା ଓ ବିଫଳତାର ବର୍ଷ ରହିଥିଲା ।
ଚଳିତ ବର୍ଷ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ଓଡ଼ିଆ ପୁଅ ପ୍ରମୋଦ ଭଗତ । ପାରା-ଅଲମ୍ପିକ ବ୍ୟାଡମିଣ୍ଟନ୍ରେ ସ୍ଵର୍ଣ୍ଣ ପଦକ ଜିତିବା ସହ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ଆୱାର୍ଡରେ ପୁରସ୍କୃତ ହୋଇଛନ୍ତି ।
ଅଲମ୍ପିକ୍ସରେ ପଦକ ଆଣିଥିଲେ ଓଡ଼ିଆ ପୁଅ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା । ବିଦାୟ ନେବାକୁ ଯାଉଥିବା ବର୍ଷ ୨୦୨୧ରେ ଓଡ଼ିଶା ହକିରେ ନୂଆ ଇତିହାସ ସୃଷ୍ଟି କରିଥିଲେ ଏହି ଦୁଇ ଓଡ଼ିଆ ଖେଳାଳି । ପ୍ରଥମ ଓଡ଼ିଆ କ୍ରୀଡ଼ାବିତ ଭାବେ ଅଲମ୍ପିକରେ ପଦକ ହାସଲ କରି ପାଲଟି ଯାଇଥିଲେ କିମ୍ବଦନ୍ତୀ । ଚଳିତ ବର୍ଷ ଦୁଇ ଓଡ଼ିଆ ହକି ତାରକା ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରାଙ୍କୁ ଅର୍ଜୁନ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି ।
ଏହାମଧ୍ୟ ପଢନ୍ତୁ: Badminton In 2021: ସିନ୍ଧୁଙ୍କ ମହାନତାର ଯାତ୍ରା, ଶ୍ରୀକାନ୍ତଙ୍କ ପୁନରୁତ୍ଥାନ ଓ ଲକ୍ଷଙ୍କ ଉଦୟ
ସେହିପରି ସୁଟିଂରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ଝିଅ । ଜାତୀୟ ସୁଟିଂ ଚାମ୍ପିଅସିପ୍ରେ ଶ୍ରୀୟଙ୍କା ସ୍ବର୍ଣ୍ଣ ପଦକ ବିଜୟିନୀ ହୋଇଥିଲେ । ମଧ୍ୟପ୍ରଦେଶରେ ଡିସେମ୍ବର ୬ରେ ଆୟୋଜିତ ୬୪ତମ ଜାତୀୟ ସୁଟିଂରେ ପ୍ରତିଯୋଗିତାରେ ୫୦ ମିଟର ରାଇଫଲ ସୁଟିଂରେ ଇଭେଣ୍ଟରେ ୧୧୬୭ ପଏଣ୍ଟ ସହ ପଦକ ବିଜୟୀ ହୋଇଥିଲେ ଶ୍ରୀୟଙ୍କା । ପ୍ରଥମ ଓଡ଼ିଆ ଭାବରେ ସେ ଏହି ସ୍ବର୍ଣ୍ଣ ପଦକ ହାତେଇତିଲେ ।
ଚଳିତ ବର୍ଷ ଅଲମ୍ପିକ୍ସରେ ଦୀପ୍ ଗ୍ରେସ୍ ଏକ୍କା, ନମିତା ଟପ୍ପୋଙ୍କ ଚମକ ମଧ୍ୟ ଦେଖିବାକୁ ମିଳିଥିଲା। ଏହି ଦୁଇ ଓଡ଼ିଆ ଝିଅ ସେମିଫାଇନାଲରେ ଇତିହାସ ରଚିଥିଲେ । କାଂସ୍ୟ ପଦକ ପାଇଁ ଏମାନେ ଖେଳିଥିଲେ ।
ଏହାମଧ୍ୟ ପଢନ୍ତୁ: Yearender 2021: ବିଶ୍ବକ୍ରୀଡା ମଞ୍ଚରେ ଭାରତୀୟ ଆଥଲେଟ୍ଙ୍କ ଚମତ୍କାର
ଚଳିତ ବର୍ଷ ଟୋକିଓ ଅଲମ୍ପିକ୍ସର ଦୁଇଟି ଇଭେଣ୍ଟରେ ଦୌଡ଼ିଥିଲେ ଧାବିକା ଦୂତୀ ଚାନ୍ଦ । ଟୋକିଓ ଅଲିମ୍ପିକ୍ରେ ଓଡ଼ିଆ ଧାବିକା ଦୂତୀ ଚାନ୍ଦଙ୍କ ଚମକ ଦେଖିବାକୁ ମିଳିଥିଲା। ଦୁତୀ କ୍ରମାଗତ ୨ୟ ଥର ପାଇଁ ଅଲମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ ।