ନୂଆଦିଲ୍ଲୀ:ଗତ 6 ଦିନ ହେବ ଦିଲ୍ଲୀ ଜନ୍ତରମନ୍ତରରେ ଧାରଣାରେ ବସିଛନ୍ତି ଟପ କୁସ୍ତିଯୋଦ୍ଧା । କୁସ୍ତି ମହାସଂଘ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଦ୍ବିତୀୟ ଥର ପାଇଁ ଧାରଣାରେ ବସିଛନ୍ତି କୁସ୍ତିଯୋଦ୍ଧା । ଆଜି ଏହି ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ ।
ଭାରତୀୟ କୁସ୍ତି ମହାସଂଘ ସଭାପତି ବ୍ରିଜଭୂଷଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗକୁ ନେଇ କୁସ୍ତିଯୋଦ୍ଧା ଦେଇଥିବା ଏତଲାକୁ ଦିଲ୍ଲୀ ପୋଲିସ ପଞ୍ଜୀକରଣ କରୁନଥିବା ଅଭିଯୋଗ ହୋଇଥିଲା । 7ଟି ଏତଲା ଦିଆଯାଇଛି । ଏହାକୁ ବିରୋଧ କରି କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ, ବିନେଶ ଓ ସାକ୍ଷୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ହିଁ କେବଳ ନ୍ୟାୟ ଦେଇପାରିବେ ଆଶା କରି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ ।
ଆଜି ଏହି ମାମଲାର ଶୁଣାଣି ହେବ । ପୂର୍ବରୁ ଦିଲ୍ଲୀ ପୋଲିସକୁ ଭର୍ତ୍ସନା କରିଥିଲେ ସୁପ୍ରିମକୋର୍ଟ । ଆବେଦନକୁ ଦୃଷ୍ଟିରେ ରଖି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତା ଗଠିତ ବେଞ୍ଚ ଦିଲ୍ଲୀ ପୋଲିସକୁ ନୋଟିସ୍ କରିଥିଲେ । ଅଭିଯୋଗ ଗୁରୁତର ଏହାର ଆବଶ୍ୟକ ଶୁଣାଣି ବୋଲି କହିଥିଲେ । ଅନ୍ୟପକ୍ଷେ ଦିଲ୍ଲୀ ପୋଲିସ ମାମଲା ରୁଜ୍ଜୁ ପୂର୍ବରୁ ପ୍ରାଥମିକ ତଦନ୍ତ କରିବାକୁ ଚାହୁଁଥିବା ଏକ ରିପୋର୍ଟ ପ୍ରଦାନ କରିଛି । ସଲିସିଟର ତୁଷାର ମେହେଟା କହିଛନ୍ତି, କୋର୍ଟଙ୍କ ନିର୍ଦ୍ଦେଶ ମିଳିଲେ ପୋଲିସ ମାମଲା ରୁଜୁ କରିବାକୁ ପ୍ରସ୍ତୁତ ଅଛି । ଉତ୍ତରରେ ମୁଖ୍ୟ ବିଚାରପତି କହିଛନ୍ତି, ଏହି ମାମଲାରେ ତୁରନ୍ତ ତଦନ୍ତର ଆବଶ୍ୟକତା ରହିଛି ।