ଧାରଣାସ୍ଥଳରେ କୁସ୍ତିଯୋଦ୍ଧାଙ୍କ ଅଭ୍ୟାସ ନୂଆଦିଲ୍ଲୀ:କୁସ୍ତିଯୋଦ୍ଧା ବିବାଦକୁ ନେଇ ଜାତୀୟ ରାଜଧାନୀର ଜନ୍ତର ମନ୍ତରରେ ପୁଣି ଆନ୍ଦୋଳନରେ ବସିଛନ୍ତି କୁସ୍ତିଯୋଦ୍ଧା । ଦିଲ୍ଲୀ ରାସ୍ତାରେ ଅଲିମ୍ପିଆନଙ୍କ ସମେତ ଦେଶର ଟପ ଆଥଲେଟ 4 ଦିନ ହେବ ଆନ୍ଦୋଳନରେ ବସିଛନ୍ତି । କୁସ୍ତି ମହାସଂଘ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଦ୍ବିତୀୟ ଥର ପାଇଁ ଧାରଣାରେ ବସିଛନ୍ତି । ଧାରଣା ଦେବା ସହିତ ଆଜି ଦିଲ୍ଲୀ ରାଜରାସ୍ତାରେ ଅଭ୍ୟାସ କରିବା ସହିତ ବ୍ୟାୟାମ କରିଥିବା ଦେଖିବାକୁ ମିଳିଛି ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଲିମ୍ପିଆନ ବଜରଙ୍ଗ ପୁନିଆ କହିଛନ୍ତି, ''ଆମେ ଏଠାରେ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରିବା ସହ ଅଭ୍ୟାସ କରୁଛୁ । ଦେଶ ପାଇଁ ପଦକ ଜିତିବାକୁ ଦେଶବାସୀ ଆମକୁ ସୁଯୋଗ ଦେଇଛନ୍ତି ଯାହାକୁ ଆମେ ପୂରଣ କରିବା ଆବଶ୍ୟକ । ଦିଲ୍ଲୀ ପୋଲିସ ଏଯାଏଁ ମାମଲା ରୁଜ୍ଜୁ କରି ନାହିଁ । ଆମକୁ ଧାରଣା ଦେବାକୁ ଓ ତାଲିମ ନେବାକୁ ପୋଲିସ ଆମକୁ ଅଟକାଇ ପାରିବ ନାହିଁ । ଆଇନରୁ ଊର୍ଦ୍ଧ୍ବ କିଛି ନାହିଁ । ସୁପ୍ରିମକୋର୍ଟଙ୍କ ନିକଟରୁ ଆମକୁ ନ୍ୟାୟ ମିଳିବ ବୋଲି ଆମେ ଆଶାବାଦୀ ।''
ଡବ୍ଲୁଏଫଆଇ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆନ୍ଦୋଳନ କରିଛନ୍ତି । ଖେଳାଳିଙ୍କ ସହ ଯୌନ ନିର୍ଯାତନା ଅଭିଯୋଗ ଆଣି ଦ୍ବିତୀୟ ଥର ପାଇଁ ଧାରଣାକୁ ଓହ୍ଲାଇଛନ୍ତି କୁସ୍ତିଯୋଦ୍ଧା । ଯେ ପର୍ଯ୍ୟନ୍ତ ନ୍ୟାୟ ନମିଳିଛି ସେବେ ଯାଏ ଧାରଣାକୁ ଓହ୍ଲାଇବୁ ନାହିଁ ବୋଲି କହିଛନ୍ତି ଆନ୍ଦୋଳନକାରୀ କୁସ୍ତାଯୋଦ୍ଧା । ଏବେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଦିଲ୍ଲୀ ପୋଲିସ ଉପରେ ସୁପ୍ରିମକୋର୍ଟ ବର୍ଷିଥିଲେ । ତେବେ କାହିଁକି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନାହିଁ ତାହା ଏକ ପ୍ରଶ୍ନ ସୃଷ୍ଟି କରିଛି ।
ଏହା ବି ପଢନ୍ତୁ...କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ବଢୁଛି ସମର୍ଥନ, ଦିଲ୍ଲୀ ପୋଲିସକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା
କଣ ହୋଇଥିଲା ଅଭିଯୋଗ: କୁସ୍ତିରେ ଅନେକ ମେଡାଲ ଆଣିଥିବା କୁସ୍ତଯୋଦ୍ଧା ଭିନେଶ ଫୋଗାଟ ଡବ୍ଲୁଏଫଆଇ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଭାରତର ଅନେକ ମହିଳା କୁସ୍ତିଯୋଦ୍ଧା ଯୌନ ନିର୍ଯାତନାର ଶିକାର ହୋଇଥିବା କହିଥିଲେ । 10ରୁ 12 ଯୌନ ନିର୍ଯାତନା ଘଟଣା ବିଷୟରେ ସେ ଜାଣିଥିବା କହିଥିଲେ । ଏହା ପରେ ସେ ପୂର୍ବରୁ ଆନ୍ଦୋଳନ କରିଥିଲେ । ସମାଧାନ ପ୍ରତିଶ୍ରୁତି ମିଳିବା ସହିତ ତଦନ୍ତ କମିଟି ଗଠନ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଧାରଣାରୁ ହଟିଥିଲେ । ମେରୀ କମଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇ ତଦନ୍ତ ହୋଇଥିଲା ମାତ୍ର ପୋଲିସ ମାମଲା ରୁଜୁ କରୁନଥିବା ଅଭିଯୋଗ କରି ଗତ 4ଦିନ ହେବ ପୁଣି ଧାରଣାରେ ବସିଛନ୍ତି କୁସ୍ତିଯୋଦ୍ଧା ।