ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରି ଦିଲ୍ଲୀର ଜନ୍ତର ମନ୍ତରରେ ଦୀର୍ଘ ୧ ମାସରୁ ଊର୍ଦ୍ଧ୍ବ ସମୟ ହେବ ଧାରଣାରେ ବସିଛନ୍ତି ଅନେକ କୁସ୍ତିଯୋଦ୍ଧା । ତେବେ ଆନ୍ଦୋଳନରତ ଏହି କୁସ୍ତିଯୋଦ୍ଧା ମାନେ ଆଇନ ଶୃଙ୍ଖଳା ଉଲ୍ଲଂଘନ କରିଥିବା ଦର୍ଶାଇ ଦିଲ୍ଲୀ ପୋଲିସ ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗଟ, ସାକ୍ଷୀ ମଲ୍ଲିକଙ୍କ ସମେତ ବଜରଙ୍ଗ ପୁନିଆଙ୍କ ବିରୋଧରେ ମାମଲା ରୁଜୁ କରିଛି । ପୋଲିସ ଜନ୍ତର ମନ୍ତରରେ ଧାରଣାସ୍ଥଳକୁ ମଧ୍ୟ ଖାଲି କରିଦେଇଛି । ରବିବାର ସେମାନଙ୍କୁ ପୋଲିସ ରାସ୍ତାରେ ଘୋଷାଡ଼ି ନେଉଥିବା ଭିଡିଓ ସାରା ଦେଶରେ ବେଶ ଭାଇରାଲ ହୋଇଥିଲା । ଯାହାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି ।
ଜନ୍ତର ମନ୍ତରରେ ଧାରଣାସ୍ଥଳ ବନ୍ଦ: ବିରୋଧ ପ୍ରଦର୍ଶନ କରୁଥିବା କୁସ୍ତିଯୋଦ୍ଧାଙ୍କ ବିରୋଧରେ ରବିବାର ହିଂସା ଅଭିଯୋଗ ଆଣିଥିଲା ଦିଲ୍ଲୀ ପୋଲିସ । ଏହାର ଗୋଟିଏ ଦିନ ପରେ ଦିଲ୍ଲୀ ପୋଲିସ କହିଛି ଯେ ସେମାନେ ବାରମ୍ବାର ଅନୁରୋଧ ସତ୍ତ୍ବେ ଆଇନ ଉଲ୍ଲଂଘନ କରିଥିଲେ । ଯେଉଁଥିପାଇଁ ଦିଲ୍ଲୀର ଜନ୍ତର ମନ୍ତରରେ ନିର୍ଦ୍ଦିଷ୍ଟ ବିରୋଧ ସ୍ଥାନକୁ ବନ୍ଦ କରିଦିଆଯାଇଛି । ସେମାନେ ସେଠାରେ ଆଉ ଧାରଣା ଦେଇପାରିବେ ନାହିଁ ବୋଲି ଦିଲ୍ଲୀ ପୋଲିସ ସ୍ପଷ୍ଟ କରିଛି । ଭବିଷ୍ୟତରେ କୁସ୍ତିଯୋଦ୍ଧାମାନେ ପୁନର୍ବାର ଧାରଣାରେ ବସିବା ପାଇଁ ଅନୁମତି ମାଗିଲେ, ସେମାନଙ୍କୁ ଜନ୍ତର ମନ୍ତର ବ୍ୟତୀତ ଅନ୍ୟ ସ୍ଥାନରେ ଅନୁମତି ଦିଆଯିବ ବୋଲି ଦିଲ୍ଲୀର ଡେପୁଟି କମିଶନର ଟ୍ବିଟ୍ କରି କହିଛନ୍ତି । ସେପଟେ କୌଣସି ଦଙ୍ଗା ବା ହିଂସା ଘଟାଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଆନ୍ଦୋଳନକାରୀ କୁସ୍ତିଯୋଦ୍ଧା ।
'ଆବଶ୍ୟକ ପଡ଼ିଲେ କୁସ୍ତିଯୋଦ୍ଧାଙ୍କୁ ଗୁଳି କରିଦେବୁ': ନ୍ୟାୟ ଦାବି କରି ଦୀର୍ଘ ଦିନରୁ କୁସ୍ତିଯୋଦ୍ଧା ମାନେ ଧାରଣାରେ ବସିଥିବା ବେଳେ ଅବସରପ୍ରାପ୍ତ ଆଇପିଏସ୍ ଏନସି ଆସ୍ଥାନା ନିଜ ଟ୍ବିଟର ପୃଷ୍ଠାରେ ଲେଖିଥିଲେ, "ବର୍ତ୍ତମାନ କେବଳ ଅଳିଆ ବସ୍ତା ଭଳି ଟାଣି ଫୋପାଡ଼ି ଦିଆଯାଇଛି । ଯଦି ଆବଶ୍ୟକ ହୁଏ, ତେବେ ଆମେ ଗୁଳି ଚଳାଇବୁ । ଧାରା ୧୨୯ ଅନୁଯାୟୀ ପୋଲିସ ପାଖରେ ଗୁଳି ଚଳାଇବାର ଅଧିକାର ରହିଛି । ଉପଯୁକ୍ତ ପରିସ୍ଥିତିରେ, ସେହି ଇଚ୍ଛା ମଧ୍ୟ ପୂରଣ ହେବ । କିନ୍ତୁ ଏହା ଜାଣିବା ପାଇଁ ଶିକ୍ଷିତ ହେବା ଆବଶ୍ୟକ । ପୁଣି ଦେଖାହେବ ପୋଷ୍ଟ ମର୍ଟମ ଟେବୁଲରେ ।"