ନୂଆଦିଲ୍ଲୀ: ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଥିବା ବ୍ରିଜଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂହ କୁସ୍ତି ମହାସଂଘର (WFI) ସଭାପତି ନିର୍ବାଚିତ ହେବା ପରେ ତେଜୁଛି ଅସନ୍ତୋଷ । ଏଥିରେ ମର୍ମାହତ ହୋଇ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଶୁକ୍ରବାର ଦିଲ୍ଲୀର କର୍ତ୍ତବ୍ୟପଥ ଫୁଟପାଥରେ ନିଜର ପଦ୍ମଶ୍ରୀ ପୁରସ୍କାର ଛାଡି ପଳାଇ ଆସିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ଦେଶ୍ୟରେ ଏକ ଚିଠି ସହିତ ଫୁଟପାଥରେ ସେ ପଦ୍ମଶ୍ରୀ ମେଡାଲ ଥୋଇ ଦେଇ ଚାଲି ଯାଇଛନ୍ତି ।
କର୍ତ୍ତବ୍ୟପଥରେ ପଦ୍ମଶ୍ରୀ ପୁରସ୍କାର ଛାଡି ଚାଲିଆସିବା ପରେ ଗଣମାଧ୍ୟମକୁ ପୁନିଆ କହିଛନ୍ତି, ''ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ତାଙ୍କ ସହ ଦେଖା ହୋଇପାରି ନାହିଁ । ସେ ପଦ୍ମଶ୍ରୀ ମେଡାଲ ଆଉ ଘରକୁ ଫେରାଇ ନେବେ ନାହିଁ କହିଛନ୍ତି । ଆମେ ଆମର ଝିଅ ଓ ଭଉଣୀଙ୍କ ପାଇଁ ଲଢେଇ କରୁଛୁ । ମୁଁ ସେମାନଙ୍କୁ ନ୍ୟାୟ ଦେଇପାରିଲି ନାହିଁ । ତେଣୁ ମୁଁ ଆଉ ନିଜକୁ ଏହି ସମ୍ମାନର(ପଦ୍ମଶ୍ରୀ) ଯୋଗ୍ୟ ଭାବୁନି । ସେଥିପାଇଁ ଏଠାକୁ ପଦ୍ମଶ୍ରୀ ପୁରସ୍କାର ଫେରାଇବାକୁ ଆସିଥିଲି । କିନ୍ତୁ ମୁଁ ପୂର୍ବରୁ ସମୟ ମାଗି ନଥିବାରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟବ୍ୟସ୍ତତା ଯୋଗୁଁ ତାଙ୍କ ସହ ସାକ୍ଷାତ ହୋଇପାରିଲାନି । ସେଥିପାଇଁ ମୁଁ ଏକ ଚିଠି ସହ ପଦ୍ମଶ୍ରୀ ପୁରସ୍କାର ସେଠି ଛାଡି ଦେଇଆସିଛି । କାରଣ ଏହି ମେଡାଲକୁ ଆଉ ଘରକୁ ଫେରାଇ ନେଇପାରିବି ନାହିଁ ।''