ଜେନେଭା:ମହଙ୍ଗା ପଡିଲା ଚୁମ୍ବନ ଦେବା । ଫିଫା ମହିଳା ବିଶ୍ବକପ ଫାଇନାଲରେ ନିଜ ଦେଶ ଖେଳାଳି ଜେନ୍ନିଫର ହରମୋସାଙ୍କୁ ଚୁମ୍ବନ ଦେବା ସ୍ପେନ ଫୁଟବଲ ମୁଖ୍ୟଙ୍କୁ ମହଙ୍ଗା ପଡିଛି । ସ୍ପେନ ଫୁଟବଲ ମହାସଂଘର ସଭାପତି ଲୁଇସ ରୁବେଲ୍ସ ନିଜ ଦେଶ ଖେଳାଳି ଜେନ୍ନି ହରମୋସାଙ୍କୁ ଚୁମ୍ବନ ଦେବା କାରଣରୁ ତାଙ୍କୁ ସାମୟିକ ଭାବେ ନିଲମ୍ବିତ କରାଯାଇଛି । 90 ଦିନ ପାଇଁ ବିଶ୍ବ ଫୁଟବଲର ସର୍ବୋଚ୍ଚ ସଂସ୍ଥା ଫିଫା ସ୍ପେନ ଫୁଟବଲ ମୁଖ୍ୟଙ୍କୁ ନିଲମ୍ବନ କରିଛି ।
ଅଗଷ୍ଟ 20 ତାରିଖରେ ମହିଳା ବିଶ୍ବକପ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଏଥିରେ ସ୍ପେନ ଇଂଲଣ୍ଡକୁ ହରାଇ ଚମ୍ପିଆନ ହୋଇଥିଲା । ଏହି ସମୟରେ ଷ୍ଟାଡିୟମରେ ଉପସ୍ଥିତ ଥିବା ସ୍ପେନ ଫୁଟବଲ ମୁଖ୍ୟ ଦଳର ଆଗଧାଡିର ଖେଳାଳି ଜେନ୍ନି ହରମୋସାଙ୍କୁ ଚୁମ୍ବନ ଦେଇଥିଲେ । ପରବର୍ତ୍ତୀ ସମୟରେ କ୍ୟାମେରାରେ କଏଦ ହୋଇଥିବା ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଫଳରେ ବିବାଦ ଘେରକୁ ଆସିଥିଲେ । ବିଭିନ୍ନ ମହଲରୁ ତାଙ୍କୁ ସମାଲୋଚନା କରାଯାଇଥିଲା ।
ଚାପ ପଡିବା ପରେ ମଧ୍ୟ ସେ ପଦକୁ ଇସ୍ତଫା ଦେଇନଥିଲେ ସ୍ପେନ ଫୁଟବଲ ମହାସଂଘର ସଭାପତି ଲୁଇସ ରୁବେଲ୍ସ । ଫଳରେ ଏପରି କାର୍ଯ୍ୟ ନେଇ ଫୁଟବଲର ସର୍ବୋଚ୍ଚ ସଂସ୍ଥା ଫିଫା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ 90 ଦିନ ଅର୍ଥାତ 3ମାସ ପାଇଁ ନିଲମ୍ବିତ କରିଛି । 3 ମାସ ପାଇଁ ସମସ୍ତ ଜାତୀୟ ତଥା ଅନ୍ତର୍ଜାତୀୟ ମ୍ୟାଚରୁ ତାଙ୍କୁ ବାସନ୍ଦ କରାଯାଇଛି । ଲୁଇସ କିମ୍ବା ଅନ୍ୟ କୌଣସି ସ୍ପେନ ଅଧିକାରୀ ଜେନ୍ନି ହରମୋସାଙ୍କ ସହ ଯୋଗଯୋଗ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ହୋଇଛି । ଚୁମ୍ବନ ବିବାଦ ନେଇ ଲୁଇସ ରୁବେଲ୍ସଙ୍କ ବିରୋଧରେ ବିଦ୍ରୋହର ସ୍ବର ଉଠିଥିଲା । ସ୍ପେନର 81ଜଣ ମହିଳା ଖେଳାଳି ଏକାଠୀ ହୋଇଥିଲେ । ଲୁଇସ ରୁବେଲ୍ସଙ୍କୁ ନିଲମ୍ବନ କରାନଗଲେ ଦେଶ ପାଇଁ ଆଉ ଖେଳିବେ ନାହିଁ ବୋଲି ଚେତାବନୀ ଦେଇଥିଲେ ।