ଚଣ୍ଡିଗଡ: ପଦାରେ ପଡିଲା ପଞ୍ଜାବ ସରକାରଙ୍କ ମିଥ୍ୟା ପ୍ରତିଶୃତି । ଚେସ୍ ବିଶ୍ବ ଚାମ୍ପିଅନ ତଥା ଦିବ୍ୟାଙ୍ଗ(ମୂକ-ବଧିର) ମଲିକା ହାଣ୍ଡା ସୋସିଆଲ ମିଡିଆରେ ପଞ୍ଜାବ ସରକାରଙ୍କ ବିରୁଦ୍ଧରେ ଜୋରଦାର ବର୍ଷିଛନ୍ତି । ଖେଳାଳିଙ୍କ ସହିତ ରାଜ୍ୟ ସରକାର ସଉତୁଣୀ ଭଳି ବ୍ୟବହାର କରୁଥିବା ସଙ୍ଗୀନ ଅଭିଯୋଗ ଆଣିଲେ ମଲିକା ।
ମଲିକାଙ୍କ ଅଭିଯୋଗ ଅନୁଯାୟୀ, ସେ ଲଗାତାର ସରକାରୀ ଚାକିରୀ ଓ ଘୋଷିତ ପୁରସ୍କାର ରାଶି ପାଇଁ ଗୁହାରି କରିଆସୁଛନ୍ତି, ମାତ୍ର ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ମଲିକା କହିଛନ୍ତି ଯେ କଂଗ୍ରେସର ପଞ୍ଜାବ ସରକାର ଗତ ପାଞ୍ଚବର୍ଷ ଧରି ତାଙ୍କୁ ପରିହାସ କରିଛନ୍ତି । ମଲିକା ଚେସ୍ରେ ସାତଥର ନ୍ୟାସନାଲ ଚାମ୍ପିଅନସିପ୍ ଜିତିଛନ୍ତି । ଏହାବ୍ୟତୀତ ଅନେକ ଅନ୍ତର୍ଜାତୀୟ ଚାମ୍ପିଅନସିପ୍ ମଧ୍ୟ ଜିତିଛନ୍ତି ।
ଏହାମଧ୍ୟ ପଢନ୍ତୁ: India vs South Africa: ଦ୍ବିତୀୟ ଟେଷ୍ଟରୁ ବାଦ୍ପଡିଲେ କୋହଲି
ରବିବାର(ଜାନୁଆରୀ ୨)ରେ ମଲିକା ଏକ ଅଭିଯୋଗପୂର୍ଣ୍ଣ ଟ୍ବିଟ୍ କରିଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି- "ମୋତେ ବହୁତ ଦୁଃଖ ପହଞ୍ଚିଛି । ମୁଁ ୩୧ ଡିସେମ୍ବର ୨୦୨୧ ଦିନ ପଞ୍ଜାବ କ୍ରୀଡାମନ୍ତ୍ରୀଙ୍କୁ ଭେଟିଥିଲି । ଏବେ ସେ କହୁଛନ୍ତି କି, ପଞ୍ଜାବ ସରକାର କୌଣସି ସରକାରୀ ଚାକିରୀ କିମ୍ବା ନଗଦ ପୁରସ୍କାର ଅର୍ଥରାଶି ପ୍ରଦାନ କରିପାରିବେ ନାହିଁ, କାରଣ ସରକାରଙ୍କ ପାଖରେ ମୂକ-ବଧୀର ଖେଳାଳିଙ୍କ(deaf sports) ପାଇଁ କୌଣସି ନୀତି(Policy) ନାହିଁ । ମାତ୍ର ଏହାପୂର୍ବରୁ ଥିବା କ୍ରୀଡାମନ୍ତ୍ରୀ ମୋତେ ନଗଦ ପୁରସ୍କାର ଦେବାକୁ ଘୋଷଣା କରିଥିଲେ ।"
ମଲିକା ଆହୁରି ମଧ୍ୟ ଲେଖିଛନ୍ତି ଯେ, "ଏଥିପାଇଁ ମୁଁ ଏକ ପତ୍ର ମଧ୍ୟ ଲେଖିଥିଲି । ପରେ ମୋତେ ନିମନ୍ତ୍ରଣ କରାଯାଇଥିଲା, ମାତ୍ର କୋରୋନା ସଂକ୍ରମଣ ଯୋଗୁଁ ଏହି କାର୍ଯ୍ୟକ୍ରମ ବାତିଲ ହୋଇଥିଲା । ଏ ସବୁକିଛି ବର୍ତ୍ତମାନ କ୍ରୀଡାମନ୍ତ୍ରୀ ଥିବା ପ୍ରଗତ ସିଂହଙ୍କ ସମୟରେ ହେଉଛି । ସେ ସ୍ପଷ୍ଟ ଭାବେ କହିଛନ୍ତି, ଯେ ଏହି ଘୋଷଣା ପୂର୍ବତନ ମନ୍ତ୍ରୀଙ୍କର ଥିଲା, ମୁଁ କିମ୍ବା ବର୍ତ୍ତମାନର ସରକାରଙ୍କର ନୁହେଁ ।"
ପ୍ରତିଶୃତି ଖିଲାପର ସଙ୍ଗୀନ ଅଭିଯୋଗ ଆଣିବା ସହ ମଲିକା ପ୍ରଶ୍ନ କରିଛନ୍ତି ଯେ, ଘୋଷଣା ତେବେ କାହିଁକି କରାଯାଇଥିଲା ? କଂଗ୍ରେସ ସରକାରରେ ମୋର ପାଞ୍ଚ ବର୍ଷ ବର୍ବାଦ ହୋଇଥିଲା, ସେମାନେ ମୋତେ ପରିହାସର ପାତ୍ର ବନାଇଦେଲେ । ସେମାନେ ମୂକ-ବଧୀର ଖେଳାଳିଙ୍କୁ କୌଣସି ସୁବିଧା କଲେନାହିଁ । ଜିଲ୍ଲା କଂଗ୍ରେସ ମଧ୍ୟ ମୋତେ ପ୍ରତ୍ୟେକ ଥର ସପୋର୍ଟ କରିବାକୁ ଆଶ୍ବାସନା ଦେଲେ, ମାତ୍ର ପାଞ୍ଚ ବର୍ଷରେ କିଛି ହେଲାନାହିଁ । କାହିଁକି ପଞ୍ଜାବ ସରକାର ଏପରି କରୁଛି ?
ANI