ନାଇରୋବି(କେନିଆ):ବିଶ୍ବ ଆଥଲେଟିକ୍ସ U20 ଚମ୍ପିଆନସିପ ସୂଚୀରେ ସାମାନ୍ୟ ପରିବର୍ତ୍ତନ । ଅଗଷ୍ଟ17ରୁ 22 ପର୍ଯ୍ୟନ୍ତ ନାଇରୋବିରେ ହେବାକୁ ଥିବା ଏହି ମେଗା କ୍ରୀଡା ପ୍ରତିଯୋଗିତାକୁ ଗୋଟିଏ ଦିନ ଘୁଞ୍ଚାଇ ଦିଆଯାଇଛି । ଫଳରେ ନୂଆ ସୂଚୀ ଅନୁଯାୟୀ ଅଗଷ୍ଟ 18ରେ ପ୍ରତିଯୋଗିତା ଆରମ୍ଭ ହେବା ସହ ଅଗଷ୍ଟ 22ରେ ଶେଷ ହେବ । ଏନେଇ ବିଶ୍ବ ଆଥଲେଟିକ୍ସ (WA) ଶନିବାର ସନ୍ଧ୍ୟାରେ ଏକ ଘୋଷଣାନାମାରେ ସ୍ପଷ୍ଟ କରିଛି । COVID-19 କାରଣରୁ ସୂଚୀରେ ଏହି ପରିବର୍ତ୍ତନ କରାଯାଇଥିବା ଦର୍ଶାଯାଇଛି ।
COVID ମହାମାରୀର ପ୍ରଭାବ ସଂପୂର୍ଣ୍ଣ କମ ହୋଇନଥିବାବେଳେ ପ୍ରତିଯୋଗିତାରେ ଅଂଶଗ୍ରହଣକାରୀ ଟିମମାନଙ୍କର ଯାତ୍ରା ଓ ପ୍ରମୁଖ ଉପକରଣ ଗୁଡିକ ବିଶ୍ବର ବିଭିନ୍ନ ସ୍ଥାନରୁ ସାଥିରେ ଆଣିବା ଆୟୋଜକଙ୍କ ପାଇଁ ଆହ୍ବାନ ହୋଇଛି । ଏହି ମେଗା ପ୍ରତିଯୋଗିତାରେ ବିଶ୍ବର ପ୍ରାୟ 100ରୁ ଅଧିକ ଦେଶ ଅଂଶଗ୍ରହଣ କରୁଛନ୍ତି। ଫଳରେ ପ୍ରଭାବକୁ ସାମାନ୍ୟ କମ କରିବାକୁ 5ଦିନରୁ ଅଧିକ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତାକୁ 5 ଦିନରେ ସୀମିତ ରଖାଯିବା ନେଇ ନିଷ୍ପତ୍ତି ହୋଇଛି ।
ନୂଆ ସୂଚୀ ଅନୁଯାୟୀ, ସମସ୍ତ ଇଭେଣ୍ଟ ଗୁଡିକ ସଂପୂର୍ଣ୍ଣ, ଶୀଘ୍ର ଓ ଦ୍ରୁତ ଆୟୋଜିତ ହେବ । ପ୍ରସାରଣ ମାନ୍ୟତା 14ରୁ ଅଧିକ ଦେଶ ହାସଲ କରସାରିଥିବାବାଳେ 12ଟି ଦେଶ ଇଭେଣ୍ଟର ଲାଇଭ ପ୍ରସାରଣ କରିବେ । ଅନ୍ୟ ଗୁଡିକ ପାଇଁ ବିଶ୍ବ ଆଥଲେଟିକ୍ସ ସକାଳ ଓ ସନ୍ଧ୍ୟା ସେସନ ଗୁଡିକ ନିଜର ୟୁଟୁବ୍ ଚ୍ୟାନେଲ ମାଧ୍ୟମରେ ଲାଇଭ ଷ୍ଟ୍ରିମିଂ କରିବ ।