ରାଞ୍ଚି:ଅଦ୍ଭୂତ, ଅବିଶ୍ବସନୀୟ, ପ୍ରଶଂସନୀୟ । ରାଞ୍ଚିରେ ଚାଲିଥିବା ମହିଳା ହକି ଏସିଆନ ଚମ୍ପିଆନ୍ସ ଟ୍ରଫିରେ ଭାରତୀୟ ମହିଳା ହକି ଦଳର ଉଲ୍ଲେଖ୍ୟନୀୟ ପ୍ରଦର୍ଶନ ଦେଖିବାକୁ ମିଳିଛି । ଲିଗ ପର୍ଯ୍ୟାୟର ସମସ୍ତ 5ଟି ମ୍ୟାଚ ଜିତି ଅପରାଜେୟ ରହିଛି ସବିତା ପୁନିଆଙ୍କ ନେତୃତ୍ବାଧୀନ ଭାରତୀୟ ମହିଳା ହକି ଦଳ । ଥାଇଲାଣ୍ଡ, ଚୀନ, ଜାପାନ ଓ ମାଲେସିଆ ପରେ ଦକ୍ଷିଣ କୋରିଆକୁ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଛି ଦଳ । କୋରିଆକୁ 5-0 ଗୋଲରେ ପରାସ୍ତ କରିଛି ଭାରତ । ସାଲିମା ଟେଟେ ଦୁଇଟି ଗୋଲ କରି ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ସଙ୍ଗୀତା କୁମାରୀ ରାଇଜିଂ ଷ୍ଟାର ଅଫ ଦି ମ୍ୟାଚ ପୁରସ୍କାର ପାଇଛନ୍ତି ।
ମ୍ୟାଚ ଆରମ୍ଭରୁ ଭାରତ କୋରିଆ ଉପରେ ଆଧିପତ୍ୟ ବିସ୍ତାର କରିଥିଲା । ସାଲିମା ଟେଟେ ଡବଲ ଗୋଲ କରି ଭାରତକୁ ବିଜୟୀ ଭେଟି ଦେଇଥିଲେ । ମ୍ୟାଚର 6 ଓ 36ତମ ମିନିଟରେ ସାଲିମା ଟେଟେ ଦୁଇଟି ଗୋଲ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନବନୀତ କୌର, ବନ୍ଦନା କଟ୍ଟାରିଆ ଓ ନେହା ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ । କୋରିଆ ଖୋତା ଖୋଲି ପାରିନଥିଲା । ଭାରତ ଆକ୍ରମଣରେ ଗୋଲ ପରିଶୋଧ କରିବାରେ ବିଫଳ ହୋଇଥିଲା କୋରିଆ ଦଳ ।
ଏହା ବି ପଢନ୍ତୁ...Womens Asian Champions Trophy: ଜାପାନକୁ ହରାଇ ସେମିରେ ମହିଳା ହକି ଦଳ
ଏହି ବିଜୟ ସହ ଭାରତର ପଏଣ୍ଟ ସଂଖ୍ୟା 15 ହୋଇଛି । ପଏଣ୍ଟ ଟେବୁଲ ଟପରେ ରହିଛି ଭାରତ । କୋରିଆ 5ଟି ମ୍ୟାଚରୁ 7 ପଏଣ୍ଟ ହାସଲ କରିଛି । ଗତ 4 ବର୍ଷରେ କୋରିଆ ବିପକ୍ଷରେ ଭାରତର ଏହା ପ୍ରଥମ ବିଜୟ । ଦୁଇ ଦଳ ପରସ୍ପରକୁ 21 ଥର ଭେଟିଛନ୍ତି । ଭାରତ 6ଟି ମ୍ୟାଚ ଜିତିଥିବା ବେଳେ 12ଟି ମ୍ୟାଚ ହାରିଥିଲା । 3ଟି ମ୍ୟାଚ ଡ୍ର ହୋଇଥିଲା । ଆସନ୍ତାକାଲି (ଶନିବାର) ଭାରତ ସେମିଫାଇନାଲ ମ୍ୟାଚରେ କୋରିଆକୁ ଭେଟିବ । ଅନ୍ୟ ଏକ ସେମିଫାଇନାଲ ଚୀନ-ଜାପାନ ମଧ୍ୟରେ ଖେଳାଯିବ ।