ମୁମ୍ବାଇ: ମହିଳା ଆଇପିଏଲର ପ୍ରଥମ ସଂସ୍କରଣ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ମାର୍ଚ୍ଚ 4ରୁ ମହିଳା ପ୍ରିମିୟର ଲିଗ ଆରମ୍ଭ ହେବ । ମୁମ୍ବାଇରେ ଏହାର ଉଦଘାଟନୀ ମ୍ୟାଚ ଖେଳାଯିବ । ମାର୍ଚ୍ଚ 26ରେ ଫାଇନାଲ ମ୍ୟାଚ ଖେଳାଯିବ । ଉଦଘାଟନୀ ମ୍ୟାଚରେ ଦୁଇ ପ୍ରମୁଖ ଦଳ ମୁମ୍ବାଇ ଓ ଅହମ୍ମଦାବାଦ ପରସ୍ପରକୁ ଭେଟିବେ । ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମ ଓ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ସମସ୍ତ ମ୍ୟାଚ ଖେଳାଯିବ ।
ପୁରୁଷ IPLର ସଫଳତା ପରେ ମହିଳା IPL ଆରମ୍ଭ ହେବାକୁ ଯାଉଛି । ମାର୍ଚ୍ଚ 4ରୁ ମହିଳା IPL ଆରମ୍ଭ ହୋଇ 26 ତାରିଖ ଯାଏଁ ଚାଲିବ । 13 ତାରିଖରେ ନିଲାମୀ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଫ୍ରାଞ୍ଚାଇଜିମାନେ କୋଚିଂ ସଦସ୍ୟ ନିଯୁକ୍ତ କରିବା ଆରମ୍ଭ କରି ଦେଲେଣି । 5ଟି ଦଳକୁ ନେଇ ଡବଲ ରାଉଣ୍ଡ ରବିନ ଫର୍ମାଟରେ ଲିଗ୍ ମ୍ୟାଚ ଅନୁଷ୍ଠିତ ହେବ । ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ଥିବା ଦଳ ସିଧାସଳଖ ଫାଇନାଲକୁ ଯିବ । ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଥିବା ଦଳ ମଧ୍ୟରେ ପ୍ଲେ ଅଫ ମ୍ୟାଚ ଖେଳାଯିବ । ଏହି ମ୍ୟାଚ ବିଜୟୀ ଦଳ ଫାଇନାଲକୁ ଉନ୍ନିତ ହେବେ । ମହିଳା ଆଇପିଏଲରେ ମୋଟ 22ଟି ମ୍ୟାଚ ଖେଳାଯିବ । ଫେବୃଆରୀ 10ରୁ ଆସିସି ଟି-ଟ୍ବେଣ୍ଟି ବିଶ୍ବକପ ଆରମ୍ଭ ହେବ । ବିଶ୍ବକପ ଶେଷ ହେବାର 8 ଦିନ ପରେ ମହିଳା ପ୍ରିମିୟର ଲିଗ ଆରମ୍ଭ ହେବ ।