ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ଟୋକିଓ ଅଲମ୍ପିକ୍ରେ ବିଶୃଙ୍ଖଳିତ ଆଚରଣ ପାଇଁ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ନିଲମ୍ବିତ । ଭାରତୀୟ କୁସ୍ତି ମହାସଂଘ(WFI) ମଙ୍ଗଳବାର 'ସାମୟିକ' ଭାବେ ଷ୍ଟାର ଗ୍ରାପଲର ଭିନେଶ ଫୋଗଟଙ୍କୁ ନିଲମ୍ବିତ କରିଛି । ଏଥିସହ ସୋନମ ମଲିକଙ୍କୁ ମଧ୍ୟ ସଂଘ କାରଣ ଦର୍ଶାଅ ନୋଟିସ ଜାରି କରିଛି । ଟୋକିଓ ଅଲମ୍ପିକ୍ରେ କ୍ବାର୍ଟର ଫାଇନାଲରେ ପରାଜୟ ସହ ପ୍ରତିଯୋଗିତାରୁ ବାଦ ପଡିଥିଲେ ଭିନେଶ । ସୂଚନା ଅନୁଯାୟୀ, ଟୋକିଓ ଅଭିଯାନ ସମୟରେ ଭିନେଶ ବିଶୃଙ୍ଖଳିତ ଆଚରଣ କରିଥିଲେ । ଫଳରେ ଅଗଷ୍ଟ ୧୬ ମଧ୍ୟରେ ଉତ୍ତର ରଖିବାକୁ ଭିନେଶଙ୍କୁ ସମୟ ଦେଇଛି ସଂଘ ।
ଭିନେଶ ଭାରତରୁ ଟୋକିଓ ଯାତ୍ରା କରିନଥିଲେ । ହଙ୍ଗେରୀରେ ଟ୍ରେନିଂ ନେଉଥିଲେ ଓ ସେଠାରୁ କୋଚ୍ ୱଲର ଅକସଙ୍କ ସହିତ ସିଧା ଟୋକିଓରେ ପହଞ୍ଚିଥିଲେ । ସେଠାରେ ପହଞ୍ଚିବା ପରେ ସେ ଅଲମ୍ପିକ ଭିଲେଜରେ ରହିବାକୁ କିମ୍ବା ଅନ୍ୟ ଭାରତୀୟ ଟିମ ସଦସ୍ୟଙ୍କ ସହ ଅଭ୍ୟାସ କରିବାକୁ ରାଜି ହୋଇନଥିଲେ । ପ୍ରତିଯୋଗିତା ସମୟରେ ମଧ୍ୟ ସେ ଭାରତୀୟ ଅଲମ୍ପିକ ଟିମର ଅଫିସିଆଲ ପ୍ରାୟୋଜକଙ୍କ ନାମ ଥିବା(Shiv Naresh) ପିନ୍ଧିନଥିଲେ । ତାଙ୍କର ବାଉଟ୍ରେ ନାଇକ୍ ସିଙ୍ଗଲେଟ୍ ପିନ୍ଧିବାକୁ ପସନ୍ଦ କରିଥିଲେ ।
"ଏହା ବିଶୃଙ୍ଖଳିତ ଆଚରଣ । ତାଙ୍କୁ ସାମୟିକ ଭାବେ ନିଲମ୍ବିତ କରାଯାଉଛି ଓ ସମସ୍ତ ପ୍ରକାର କୁସ୍ତି କାର୍ଯ୍ୟକ୍ରମରୁ ବାରଣ କରାଯାଉଛି । ଯେ ପର୍ଯ୍ୟନ୍ତ ସେ ଏହାର କୌଣସି ଉତ୍ତର ରଖିନାହାନ୍ତି କିମ୍ବା WFI ଶେଷ ନିଷ୍ପତ୍ତି ଶୁଣାଇନାହିଁ, ସେପର୍ଯ୍ୟନ୍ତ କୌଣସି ଜାତୀୟ କିମ୍ବା ଘରୋଇ ଇଭେଣ୍ଟରେ ପ୍ରତିନ୍ଦ୍ବନ୍ଦ୍ବୀତା କରିପାରିବେ ନାହିଁ । "ଭିନେଶଙ୍କ ବିଶୃଙ୍ଖଳିତ ଆଚରଣ ପାଇଁ କାହିଁକି ସଂଘ ସେମାନଙ୍କର ଆଥଲେଟ୍ଙ୍କୁ ଆୟତରେ ରଖିଲେ ନାହିଁ କହିବା ସହ WFIକୁ ନୋଟିସ ଜାରି କରିଛି ଭାରତୀୟ ଅଲମ୍ପିକ୍ ଆସୋସିଏସନ(IOA) ।
ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଭିନେଶଙ୍କୁ ସାଥୀ ଭାରତୀୟ ଖେଳାଳି ସୋନମ, ଅଂଶୁ ମଲିକ ଓ ସୀମା ବିଶଲାଙ୍କ ପାଖ ରୁମ୍ରେ ରୁମ୍ ମିଳିଥିଲା । ମାତ୍ର ଭାରତରୁ ଏହି ଖେଳାଳି ଟୋକିଓ ଆସିଥିବାରୁ କୋରୋନା ଭାଇରସ ହେବା ଆଶଙ୍କା କରି ଭିନେଶ ଯୁକ୍ତି କରିଥିଲେ ଓ ରହିବାକୁ ଅନିଚ୍ଛା ପ୍ରକାଶ କରିଥିଲେ । "ଜଣେ ସିନିୟର କୁସ୍ତିଯୋଦ୍ଧାଙ୍କ ଠାରୁ ଏପରି ଆଚରଣ ଗ୍ରହଣୀୟ ନୁହେଁ," ବୋଲି ଜଣେ ଅଧିକାରୀ କହିଛନ୍ତି । ଅନ୍ୟପଟେ ସୋନମଙ୍କୁ ଟୋକିଓ ଯାତ୍ରା ପୂର୍ବରୁ WFI ଅଫିସ୍ରୁ ସେ ନିଜେ କିମ୍ବା ପରିବାର ସଦସ୍ୟ ପାସପୋର୍ଟ ସଂଗ୍ରହ କରିବାରଥିଲା । ମାତ୍ର ସେ ଏହା ନ କରି SAI ଅଧିକାରୀଙ୍କୁ ତାଙ୍କା ତରଫରୁ ପାସପୋର୍ଟ ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ