ଚେନ୍ନାଇ: ଇଚ୍ଛାଶକ୍ତି ଆଗରେ ହାରିଲା ଦାରିଦ୍ର୍ୟ । ସଂଘର୍ଷ ଆଣିଦେଲା ସଫଳତା । ରାଜ୍ୟସ୍ତରୀୟ ଭାରତ୍ତୋଳନରେ ଚମକିଲେ ମାଆ ଝିଅ । ଏ ସଫଳତାର କାହାଣୀ ହେଉଛି ତାମିଲନାଡୁର ଜଣେ ମାଆ ଝିଅଙ୍କର । କୋଏମ୍ବାଟୁର ଟ୍ରିଚିରେ ଆୟୋଜିତ ରାଜ୍ୟସ୍ତରୀୟ ଭାରତ୍ତୋଳନରେ 63କେଜି ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ମାଆ ମାସିଲାମାନି ଓ 47 କେଜି ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ଝିଅ ଧରଣୀ । ମାଆ ଝିଅଙ୍କ ଏ ସଫଳତା ଅନେକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।
ପିଲାଙ୍କ ଭବିଷ୍ୟତ ପାଇଁ ବାପାମାଆ ଚିନ୍ତା ପ୍ରକଟ କରିଥାନ୍ତି । ପିଲା କିପରି ଭଲ ପଢିବ ଏବଂ ଭଲ ଚାକିରିଟିଏ କରିବ । କିଛି କିଛି ବାପାମାଆ କେବଳ ପିଲା ପାଠ ପଢନ୍ତୁ ବୋଲି ଇଚ୍ଛା କରିଥାନ୍ତି । ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଜଣେ ମାଆ ଓ ତାଙ୍କ ଝିଅ ଭାରତ୍ତୋଳନରେ ସଫଳତା ହାସଲ କରିଛନ୍ତି । ପେଟପାଟଣା ପାଇ ଅନ୍ୟ ଘରେ କାମ କରୁଥିବା ମାସିଲାମାନି ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ତାଙ୍କ ଝିଅ ଧରଣୀ କାଂସ୍ୟ ପଦକ ହାସଲ କରିଛନ୍ତି । ଧରଣୀ ବର୍ତ୍ତମାନ ଯୁକ୍ତ ଦୁଇ ଛାତ୍ରୀ । ମାସିଲାମାନିଙ୍କ ସ୍ବାମୀ ଜଣେ ଶ୍ରମିକ । ମାସିଲାମାନି ଘରେ କାମ କରନ୍ତି । ଏହାରି ଭିତରେ ଭାରତ୍ତୋଳନକୁ ନେଇ ତାଙ୍କ ଆଗ୍ରହ ବଢିଥିଲା । ଧିରେ ଧୀରେ ଜିମ ଯିବା ଆରମ୍ଭ କରିଥିଲେ ସେ । ପରିବାର ଲୋକଙ୍କ ମନା କରିବା ସତ୍ତ୍ବେ ଲକ୍ଷ୍ୟ ପଥରେ ଆଗେଇ ଚାଲିଥିଲେ । ଅନ୍ୟମାନଙ୍କ ଦେଖି ସେ ଭାରତ୍ତୋଳନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏ ଦିଗରେ ତାଙ୍କୁ ସାହାଯ୍ୟ କରିଥିଲେ ଜିମ ମାଲିକ ଶିବକୁମାର । ସେ ମଧ୍ୟ ଜଣେ ଜାତୀୟ ପଦକ ବିଜେତା । ମାସିଲାମାନିଙ୍କ ସ୍ବପ୍ନରୁ ରାହା ଦେଖାଇଥିଲେ ଶିବକୁମାର । ଆଉ ପଛକୁ ଫେରିନଥିଲେ ମାସିଲାମାନି । ମାଆଙ୍କୁ ଦେଖି ପ୍ରେରଣା ପାଇଥିଲେ ଝିଅ ଧରଣୀ । ସେ ମଧ୍ଯ ଭାରତ୍ତୋଳନରେ ଅଭ୍ୟାସ ଆରମ୍ଭ କରିଥିଲେ ।