ନୂଆଦିଲ୍ଲୀ: ବିଶ୍ବ କବାଡି ଚମ୍ପିଆନସିପ 2020ର ଆୟୋଜକ ରହିଛି ପାକିସ୍ତାନ। ରବିବାର ଭାରତୀୟ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଭାଗନେବାକୁ ପାକିସ୍ତାନ ପହଞ୍ଚିଛନ୍ତି । ୱାଘା ବର୍ଡର ଦେଇ ପାକିସ୍ତାନରେ ପହଞ୍ଚିଥିଲା ଭାରତୀୟ ଦଳ। ଏହାପରେ ପାକିସ୍ତାନ କବାଡି ଫେଡେରେସନ ପକ୍ଷରୁ ଭାରତୀୟ ଖେଳାଳିଙ୍କୁ ସ୍ୱାଗତ କରାଯାଇଥିଲା ।
ପାକିସ୍ତାନ ସହ ଭାରତର ସଂପର୍କ ତିକ୍ତତାର ଚରମ ସୀମାରେ ରହିଛି । ଦୁଇ ଦେଶ ମଧ୍ୟରେ କୌଣସି ପ୍ରକାର ଦ୍ବିପାକ୍ଷିକ ଟୁର୍ଣ୍ଣାମେଣ୍ଟ ଖେଳାଯାଉନାହିଁ । ଏପରି ସ୍ଥିତିରେ ଭାରତୀୟ କବାଡି ଦଳ ପାକିସ୍ତାନ ଗସ୍ତକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି ।
ଏନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜ୍ଜୁ । "କବାଡି ଖେଳାଳିଙ୍କୁ ପାକିସ୍ତାନ ଗସ୍ତ ପାଇଁ କେହି ଅନୁମତି ଦେଇନାହାଁନ୍ତି । ଖେଳାଳିଙ୍କୁ ଭିସା ପ୍ରଦାନ କରିବାରେ ଆମର କୌଣସି ଭୂମିକା ନାହିଁ " ବୋଲି କହିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ। କବାଡି ଫେଡେରେସନକୁ ଏହି ଗସ୍ତ ସଂପର୍କରେ ଅବଗତ ରହିଛି କି ନାହିଁ, ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ବିଷୟରେ ସ୍ପଷ୍ଟ ହେବ କହିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ । ତେବେ କ୍ରିଡାମନ୍ତ୍ରଣାଳୟର ବିନା ଅନୁମତିରେ ଭାରତୀୟ ଦଳର ପାକିସ୍ତାନ ଗସ୍ତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ବିଶ୍ବ କବାଡି ଚମ୍ପିଆନସିପର ଶେଷ 6ଟି ସଂସ୍କରଣ 2010-2019 ମଧ୍ୟରେ ଭାରତରେ ଖେଳାଯାଇଛି । ଭାରତ ସବୁଥର ଚମ୍ପିଆନ ହୋଇଛି । ପାକିସ୍ତାନ ବିପକ୍ଷରେ 2010, 2012,2013 ଓ 2014 ସଂସ୍କରଣରେ ପାକିସ୍ତାନକୁ ହରାଇ ଚମ୍ପିଆନ ହୋଇଥିଲା ଭାରତ ।