ହାଇଦ୍ରାବାଦ: ବିଶ୍ବ ଟେନିସ ଜଗତର ମହାନତମ ମହିଳା ଟେନିସ ଖେଳାଳି ତଥା ଆମେରିକୀୟ ଟେନିସ କିମ୍ବଦନ୍ତୀ ସେରେନା ୱିଲିୟମ୍ସ ଶନିବାର ଟେନିସକୁ ବିଦାୟ କହିଛନ୍ତି(Serena Williams Bids Farewell to Tennis) । ଚଳିତ ୟୁଏସ ଓପନ ୨୦୨୨ ମହିଳା ଏକକ ବର୍ଗର ତୃତୀୟ ରାଉଣ୍ଡ ମ୍ୟାଚ୍ରେ ଅଷ୍ଟ୍ରେଲିଆର ଏଜଲା ଟମଲଜାନୋଭିକଙ୍କ ଠାରୁ ପରାସ୍ତ ହେବା ପରେ ଟେନିସକୁ ଅଲବିଦା କହିଛନ୍ତି ସେରେନା । ଫଳରେ ତାଙ୍କର ୨୭ ବର୍ଷର ସଫଳତମ ଟେନିସ କ୍ୟାରିୟର ଶେଷ ହେବାସହ ବିଶ୍ବ ଟେନିସରେ ଏଗ ଯୁଗର ଶେଷ ହେଲା ବୋଲି କୁହାଯାଉଛି ।
୪୧ବର୍ଷରେ ପଦାର୍ପଣ କରିବାକୁ ଆଉମାତ୍ର କିଛି ସପ୍ତାହ ବାକିଥିବାବେଳେ, ବିଶ୍ବ ଟେନିସ ଜଗତର ମହାନତମ ମହିଳା ଟେନିସ ତାରକା ସେରେନା ୱିଲିୟମ୍ସଙ୍କ କ୍ୟାରିୟର ଶେଷ ହୋଇଛି । ତେବେ କ୍ୟାରିୟରର ଶେଷ ମ୍ୟାଚ୍ରେ ସେ ୭-୫, ୬-୭(୪), ୬-୧ରେ ପରାସ୍ତ ହୋଇଛନ୍ତି । ସେରେନାଙ୍କୁ ଶେଷ ଥର ପାଇଁ ଟେନିସ କୋର୍ଟରେ ଦେଖିବାକୁ ୟୁଏସର ଅର୍ଥର ଆସେ ଷ୍ଟାଡିୟମ ଖଚାଖଚ ଭିଡ ଦେଖିବାକୁ ମିଳିଥିଲା । ସଫଳତମ ଟେନିସ କ୍ୟାରିୟରର ଶେଷ ତଥା ୧୦୧୪ତମ ମ୍ୟାଚ୍ର ସାକ୍ଷୀ ପାଲଟିବାକୁ ଦର୍ଶକ ଗ୍ୟାଲେରୀରେ ଅନେକ କିମ୍ବଦନ୍ତୀ ଖେଳାଳିଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଏପରିକି ସେରେନାଙ୍କୁ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକ ଛିଡାହୋଇ ଶେଷ ଥର ପାଇଁ ଅଭିବାଦନ (Standing Ovation)ଜଣାଇଥିଲେ ।
୭୩ ଥର WTA ଟୁର୍ ବିଜେତା ସେରେନାଙ୍କ ନାମରେ ରହିଛି ଯୁଗ୍ମଭାବେ ସର୍ବାଧିକ ଥର ୟୁଏସ ଓପନ ଟାଇଟେଲ ବିଜୟର ରେକର୍ଡ । WTA ଟୁର୍ ଟାଇଟେଲ ସଂଖ୍ୟା ଦେଖିଲେ, ମାର୍ଟିନା ନାବ୍ରାଟିଲୋଭା ୧୬୭ ଥର ବିଜୟ ସହ ସର୍ବକାଳୀନ ସର୍ବାଧିକ ଥର ବିଜେତା ତାଲିକାର ପ୍ରଥମରେ ରହିଛନ୍ତି । ସେହିପରି କ୍ରିସ ଇଭର୍ଟ ୧୫୭ ସହ ଦ୍ବିତୀୟ, ମାର୍ଗାରେଟ୍ କୋର୍ଟ ୯୨ ସହ ତୃତୀୟ ଓ ୱିଲିୟମ୍ସ ୭୩ ଥର ବିଜୟ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି ।
କାନ୍ଦିଲେ ସେରେନା
ତେବେ ଟ୍ରଫି ବିଜୟ ସଂଖ୍ୟା ଠାରୁ ସେରେନାଙ୍କ ବିଶ୍ବ କ୍ରୀଡା ଜଗତକୁ ଅବଦାନ ଢେର ଅଧିକ ଓ ଅକଳ୍ପନୀୟ । ମହିଳା ଖେଳକୁ ବିଶ୍ବରେ ପରିଚିତ କରାଇବା ସହ ସେ ବିଶ୍ବର ଅଗଣିତ ଖେଳାଳିଙ୍କ ପ୍ରେରଣା । ମାତ୍ର ନିଜ ବିଦାୟକାଳୀନ ବାର୍ତ୍ତାରେ ସେ ନିଜକୁ କେବଳ ଜଣେ ସାଧାରଣ ଝିଅ ଓ ଟେନିସକୁ ପ୍ରେମ କରିଥିବା ଖେଳାଳି ଟିଏ ବୋଲି ଅବିହିତ କରିବା ତାଙ୍କର ମହାନତାକୁ ଦର୍ଶାଏ l ତେବେ ଶେଷ ସଟ୍ଟି ନେଟ୍ରେ ଲାଗି ଅଟକି ଯିବାପରେ ଭାବବିହ୍ବଳ ହୋଇପଡିଥିଲେ । ଲୁହ ଛଳଛଳ ଆଖିରେ ସେରେନା ଶେଷ ଥର ପାଇଁ ଖେଳାଳି ଭାବେ ଟେନିସ କୋର୍ଟରୁ କହିଥିଲେ,"ଜୀବନରେ ଥରୁଟିଏ ଯିଏବି 'Go, Serena!' କହି ଉତ୍ସାହିତ କରିଛନ୍ତି ସେମାନଙ୍କ ପାଖେ ମୁଁ କୃତଜ୍ଞ । ଏହା ଏକ ଅସାଧାରଣ ଯାତ୍ରା ଥିଲା, ଯାହା ମୁଁ ଜୀବନରେ ସର୍ବଦା ମନେରଖିବି ।"
୨୭ ବର୍ଷର ଦୀର୍ଘ ପେଷାଦାର ଟେନିସ କ୍ୟାରିୟରରେ ସେରେନା ଅଗଣିତ ରେକର୍ଡ ଓ ସମ୍ମାନଜନକ ଟାଇଟେଲର ଅଧିକାରିଣୀ ହୋଇଛନ୍ତି । ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ସମୟ ମଧ୍ୟରେ ପ୍ରଭାବୀ ପ୍ରଦର୍ଶନ ବଳରେ ସେ ବିଶ୍ବର ଅଦ୍ବିତୀୟ ଓ ଶ୍ରେଷ୍ଠ ବୋଲି ନିଜକୁ ପ୍ରମାଣିତ କରିଛନ୍ତି ।
ସେରେନାଙ୍କ ରେକର୍ଡ
୨୭ ବର୍ଷର କ୍ୟାରିୟରରେ ସେ ବର୍ଷ ୨୦୦୨ରୁ ୧୭ ମଧ୍ୟରେ ଭିନ୍ନ ବିନ୍ନ ସମୟରେ ରେକର୍ଡ ୮ ଥର ବିଶ୍ବର ନମ୍ବର ୧ ଖେଳାଳି ରହିଛନ୍ତି । ମୋଟ ୩୧୯ ସପ୍ତାହ ଯାହା ତୃତୀୟ ସର୍ବକାଳୀନ । ବର୍ତ୍ତମାନ ସମୟର ଖେଳାଳିଙ୍କ ମଧ୍ୟରେ ସେ ୪ଟି ଗ୍ରାଣ୍ଡସ୍ଲାମ ତାଜ ହାସଲ କରିଥିବା ସଦ୍ୟତମ ଖେଳାଳି । ବର୍ଷ ୨୦୦୨ରୁ ୨୦୦୩ ଓ ୨୦୧୪-୧୫ ମଧ୍ୟରେ ଦୁଇଥର ସେ ଏହି ସଫଳତା ହାସଲ କରିଛନ୍ତି ।
ସେ ଗ୍ରାଣ୍ଡସ୍ଲାମରେ ୩୬୭-୫୬, ୟୁଏସ ଓପନରେ ୧୦୮-୧୫ ଓ ୯୪ମିଲିଅନ ଆମେରିକୀୟ ଡଲାର ପୁରସ୍କାର ରାଶି ଆକାରରେ ଜିତିଛନ୍ତି, ଯାହାକି ଟେନିସ ଇତିହାସରେ କୌଣସି ମହିଳା ଖେଳାଳିଙ୍କ ଠାରୁ ଅଧିକ । ଏଥିସହ ଯୁଗଳ ଭାବେ ୩ଟି ସମେତ ମୋଟ ୪ଟି ଅଲମ୍ପିକ ସ୍ବର୍ଣ୍ଣ ପଦକ ମଧ୍ୟ ଜିତିଛନ୍ତି ।
ସେରେନାଙ୍କ ଟେନିସ କ୍ୟାରିୟର
ସେରେନାଙ୍କ ସଫଳତା ବଖାଣିବାକୁ ଶବ୍ଦ କମ୍ ପଡିବ । ୧୬ ବର୍ଷର ଝିଅ ଭାବେ ଡେବ୍ୟୁ କରିଥିବା ସେରେନା ୫ ବର୍ଷର ଝିଅର ମାଆ ହେବାପରେ ୪୧ ବର୍ଷରେ ଟେନିସକୁ ଅଲବିଦା କହିଛନ୍ତି ।
୨୭ ବର୍ଷର ସଫଳତମ କ୍ୟାରିୟରରେ ୮ ଥର ବିଶ୍ବ ନମ୍ବର ୧
ଟେନିସ ଇତିହାସରେ ସର୍ବାଧିକ ପୁରସ୍କାର ରାଶି ବିଜେତା- USD$94,806,080
୪ଟି ଅଲମ୍ପିକ୍ ଗୋଲ୍ଡ ମେଡାଲ