ନୂଆଦିଲ୍ଲୀ:ଚଳିତ ଇଣ୍ଡିଆ ଓପନ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟ ୨୦୨୨ରୁ ଓହରିଲେ ଆଉ ଦୁଇ ଖେଳାଳି । ଏନେଇ ବିଶ୍ବ ବ୍ୟାଡ୍ମିଣ୍ଟନ ମହାସଂଘ(BWF) ଶନିବାର ସ୍ପଷ୍ଟ କରିଛି । ସେମିଫାଇନାଲ ମୁକାବିଲା ପୂର୍ବରୁ ଋଷିଆନ ମିକ୍ସଡ ଡବଲ୍ସ ଖେଳାଳି ରୋଡିଅନ ଅଲିମୋଭ COVID-19 ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ସେ ଟୁର୍ନାମେଣ୍ଟରୁ ଓହରି ଯାଇଛନ୍ତି । ଏହାପରେ ସଂସ୍ପର୍ଶରେ ଆସିଥିବାରୁ ତାଙ୍କର ମିକ୍ସଡ ଡବଲ୍ସ ପାର୍ଟନର ଏଲିନା ଡାଭଲଟୋଭା ମଧ୍ୟ ଟୁର୍ନାମେଣ୍ଟରୁ ଓହରିଯିବାକୁ ବାଧ୍ୟ ହୋଇଛନ୍ତି ।
ବିଶ୍ବ ବ୍ୟାଡମିଣ୍ଟନର ସର୍ବୋଚ୍ଚ ପରିଚାଳନା ପରିଷଦ ସଂକ୍ରମିତ ଚିହ୍ନଟ ହୋଇଥିବା ଖେଳାଳିଙ୍କ ପରିଚୟ ଖୁଲାସା କରିନଥିଲା । ମାତ୍ର ଅଲିମୋଭ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ୍ରେ COVID ସଂକ୍ରମିତ ନେଇ ଘୋଷଣା କରିଛନ୍ତି । ଫଳରେ ତାଙ୍କର ମିକ୍ସଡ ଡବଲ୍ସ ପ୍ରତିନ୍ଦ୍ବନ୍ଦ୍ବୀ ପାର୍ଟନର ସେମିଫାଇନାଲରେ ବିଜେତା ଘୋଷିତ ହେବା ସହ ଫାଇନାଲକୁ ଉନ୍ନୀତ ହୋଇଛନ୍ତି ।