ଟୋକିଓ:କୋରୋନା ସଂକ୍ରମଣରୁ ବର୍ତ୍ତିବାକୁ ଟୋକିଓ ଅଲମ୍ପିକ୍ସରେ ଶକ୍ତ କଟକଣା ଲାଗୁ ହୋଇଛି । ଅଲମ୍ପିକ ଗେମ୍ସ ଭେନ୍ୟୁରେ 50 ପ୍ରତିଶତ ଦର୍ଶକଙ୍କୁ ପ୍ରତିଯୋଗିତା ଦେଖିବାକୁ ଅନୁମତି ଦିଆଯାଇଛି । ତେବେ ଏହି ଦର୍ଶକ କୌଣସି ଅଟୋଗ୍ରାଫ ନେବା ଉପରେ କଟକଣା ଜାରି ହୋଇଛି ।
ଖାଲି ସେତିକି ନୁହେଁ କୌଣସି ଆଥଲେଟଙ୍କ ସହ ଫଟୋ ଉଠାଇ ପାରିବେ ନାହିଁ ଦର୍ଶକ । ଏହାସହ ଆଥଲେଟଙ୍କ ପାଖକୁ କୌଣସି ଦର୍ଶକ ଯାଇ ଚିୟର କରି ପାରିବେ ନାହିଁ । ଏହାକୁ ନେଇ ଟୋକିଓ ଅଲମ୍ପିକ୍ସ ଅଧ୍ୟକ୍ଷ ସେଇକୋ ହାସିମୋଟ ସୂଚନା ଦେଇଛନ୍ତି ।
ଆଥଲେଟଙ୍କ ସୁରକ୍ଷାକୁ ଦୃଷ୍ଟରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଷ୍ଟାଡିୟମ ଭିତରକୁ ଅଧିକରୁ ଅଧିକ 10 ହଜାର ଦର୍ଶକଙ୍କୁ ମ୍ୟାଚ ଦେଖିବାକୁ ଅନୁମତି ମିଳିବ । ଟୋକିଓ ଅଲମ୍ପିକ୍ସ ବେଳେ କୌଣସି ପ୍ରକାର ଉତ୍ସବ ଉପରେ ପ୍ରତିବନ୍ଧକ ଜାରି ହୋଇଛି ।
ବର୍ତ୍ତମାନ ସୁଦ୍ଧା 36 ଲକ୍ଷ ଅଲମ୍ପିକ୍ସ ଟିକେଟ ବିକ୍ରି ହୋଇ ସାରିଛି । ତେବେ ସେଥମଧ୍ୟରୁ କେବଳ 9 ଲକ୍ଷ ଦର୍ଶକଙ୍କୁ ଷ୍ଟାଡିୟମ ଭିତରକୁ ଆସିବାକୁ ଅନୁମତି ମିଳିବ । ଏହି 9 ଲକ୍ଷ ଦର୍ଶକ ଲଟେରୀ ମାଧ୍ୟମରେ ମ୍ୟାଚ ଦେଖିବା ସୁଯୋଗ ପାଇବେ । ପ୍ରତିଯୋଗିତା ଦେଖିବାକୁ ବଞ୍ଚିତ ହେଉଥିବା ଦର୍ଶକଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ଆୟୋଜକ ।
ବ୍ୟୁରୋ ରିପୋର୍ଟ, ଇିଟିଭି ଭାରତ