ନୂଆଦିଲ୍ଲୀ: ବିଦେଶରେ ଚମକିଲେ ଭାରତୀୟ ଟେନିସ ଖେଳାଳି । ଦକ୍ଷିଣ ଫିନଲାଣ୍ଡରେ ଆୟୋଜିତ ତାମ୍ପେରା ଓପନରେ ସଫଳତା ହାସଲ କରିଛନ୍ତି ଭାରତୀୟ । ତାମ୍ପେରା ଟେନିସରେ ଭାରତର ସୁମିତ ନାଗଲ ପୁରୁଷ ସିଙ୍ଗଲ୍ସ ଚମ୍ପିଆନ ହୋଇଛନ୍ତି । ତାମ୍ପେରା ଟାଇଟଲ ସହ ସେ ଚତୁର୍ଥ ଏଟିପି ଚ୍ୟାଲେଞ୍ଜର ଟାଇଟଲ ହାସଲ କରିଛନ୍ତି ।
ପୁରୁଷ ସିଙ୍ଗଲ୍ସ ଫାଇନାଲରେ ସେ 6-4, 7-5 ସେଟରେ ପଞ୍ଚମ ସିଡ ଚେକ ଗଣରାଜ୍ୟର ଡଲିବର ସ୍ବିସନାଙ୍କୁ ପରାସ୍ତ କରିଥିଲେ । ଏହି ମ୍ୟାଚ ଜିତିବାକୁ ସୁମିତଙ୍କୁ 1 ଘଣ୍ଟା 44 ମିନିଟ ସମୟ ଲାଗିଥିଲା । ଚଳିତ ସିଜନରେ ଏହା ତାଙ୍କର ଦ୍ବିତୀୟ ଏବଂ କ୍ୟାରିୟର ଚତୁର୍ଥ ଏଟିପି ଚ୍ୟାଲେଞ୍ଜର ଟାଇଟଲ । ଗତ ଏପ୍ରିଲରେ ରୋମରେ ଅନୁଷ୍ଠିତ ଗାର୍ଡେନ ଓପନରେ ନାଗଲ ଚମ୍ପିଆନ ହୋଇଥିଲେ । ତାମ୍ପେରା ଟାଇଟଲ ହାତେଇବା ପରେ ସୁମିତ ନାଗଲଙ୍କ ଶୁଭେଚ୍ଛାର ସୁଅ ଛୁଟିଛି ।
ମ୍ୟାଚ ରିପୋର୍ଟ:ସୁମିତ ନାଗଲ ପୁରୁଷ ସିଙ୍ଗଲ୍ସ ବିଶ୍ବ ମାନ୍ୟତାରେ 231ତମ ସ୍ଥାନରେ ରହିଛନ୍ତି । ତାମ୍ପେରା ଓପନ ଫାଇନାଲ ଫାଇଟରେ ଧିମା ଆରମ୍ଭ କରିଥିଲେ ନାଗଲ । ପ୍ରଥମ ଗେମରେ 0-3 ଏବଂ 4-1ରେ ପଛରେ ପଡି ଯାଇଥିଲେ । ଏହା ପରେ ଜବରଦସ୍ତ କମବ୍ୟାକ କରିଥିଲେ ନାଗଲ । ପଞ୍ଚମ ସିଡ ଚେକ ଗଣରାଜ୍ୟର ଡଲିବର ସ୍ବିସନାଙ୍କ ସର୍ଭିସ ଭାଙ୍ଗି ଥିଲେ । ବେସଲାଇନରେ ଦମଦାର ଖେଳ ପ୍ରଦର୍ଶନ କରି ସେଟକୁ 6-4ରେ ଜିତିଥିଲେ । ସମାନ ଲୟରେ ଦ୍ବିତୀୟ ସେଟ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ । 4-1ରେ ଆଗୁଆ ଥିଲେ । 1 ଘଣ୍ଟା 44 ମିନିଟ ଧରି ଚାଲିଥିବା ଫାଇନାଲ ମୁକାବିଲାର ଦ୍ବିତୀୟ ସେଟ ଜିତିଥିଲେ । ସୁମିତ ନାଗଲ ଆଗକୁ ଇଟାଲୀ ଓ ଭେରୋନାରେ ଖେଳିବେ ।