ଭୁବନେଶ୍ବର: କ୍ରୀଡାମନ୍ତ୍ରୀଙ୍କ ଅଚନାକ କଳିଙ୍ଗ ଷ୍ଟାଡିୟମ ଗସ୍ତ । ଆଜି (ଶନିବାର) ପୂର୍ବାହ୍ନରେ ଷ୍ଟାଡିୟମ ଗସ୍ତରେ ଆସି ବିଭିନ୍ନ ଭିତ୍ତିଭୂମି ଏବଂ ନିର୍ମାଣ କାର୍ଯ୍ୟର ତଦାରଖ କରିଛନ୍ତି କ୍ରୀଡାମନ୍ତ୍ରୀ ତୁଷାରକାନ୍ତୀ ବେହେରା । ଆଗାମୀ ନଭେମ୍ବର ୨୦୨୦ରେ କଳିଙ୍ଗ ଷ୍ଟାଡିୟମରେ ହେବାକୁଥିବା ଫିଫା 17 ବର୍ଷରୁ କମ ମହିଳା ବିଶ୍ୱକପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଲାଗି ପଡ଼ିଆ ପ୍ରସ୍ତୁତି, ଷ୍ଟାଡିୟମ୍ର ଆଧୁନିକୀକରଣ ଏବଂ ପୁନର୍ନିମାଣ କାର୍ଯ୍ୟର ସମୀକ୍ଷା କରିଥିଲେ କ୍ରୀଡାମନ୍ତ୍ରୀ ।
ଅନ୍ୟପଟେ ନୂତନ କରି ପ୍ରତିଷ୍ଠା ହେବାକୁଥିବା ଡାଲମିଆ ଭାରତ-ଗୋପୀଚାନ୍ଦ ଓଡ଼ିଶା ବ୍ୟାଡ୍ମିଣ୍ଟନ୍ ଏକାଡେମୀ ପାଇଁ ଥିବା ୩ ଏକର ଜାଗା ବୁଲି ଦେଖିଛନ୍ତି କ୍ରୀଡାମନ୍ତ୍ରୀ । ସେହିପରି ଗଗନ ନାରଙ୍ଗ ସୁଟିଙ୍ଗ୍ ହାଇ-ପରଫରମାନ୍ସ ସେଣ୍ଟରର ଆଭ୍ୟନ୍ତର କାର୍ଯ୍ୟ, ଗେଟ୍ ନଂ-୧ ନିକଟସ୍ଥ ହାଇ-ପରଫରମାନ୍ସ ହଷ୍ଟେଲ୍, ବହୁମୁଖୀ ଇନ୍ଡୋର ହଲ୍ ନିର୍ମାଣ ଆଦି ବିଷୟରେ ଅଧିକାରୀଙ୍କଠାରୁ ପାଚାରି ବୁଝିଥିଲେ ମନ୍ତ୍ରୀ । ଏଥିସହିତ ନାଭାଲ୍ ଟାଟା ହକି ଏକାଡେମୀ ନିମନ୍ତେ ହେବାକୁ ଥିବା ୧୧ ମହଲା ବିଶିଷ୍ଟ କୋଠାର ନିର୍ମାଣର ସଦ୍ୟତମ ବିଷୟରେ ଅବଗତ ହୋଇଥିଲେ ।