ଭୁବନେଶ୍ବର: ଉଜବେକିସ୍ତାନରେ ଚମକିଲେ ଓଡିଆ ଧାବକ । ପଦକ ଜିତି ରାଜ୍ୟ ପାଇଁ ଗୌବର ଆଣିଛନ୍ତି ବାଲେଶ୍ବରର ବାପି ହାଁସଦା । ଉଜବେକିସ୍ତାନରେ ଚାଲିଥିବା ପଞ୍ଚମ ଯୁବ ଏସିଆନ ଆଥଲେଟିକ ଚମ୍ପିଆନସିପରେ ରୌପ୍ୟ ପଦକ ଜିତିଛନ୍ତି ବାପି । ସେ 400ମିଟର ହଡଲ୍ସରେ 51.38 ସେକେଣ୍ଡ ସହ ଦ୍ବିତୀୟ ସ୍ଥାନରେ ରହିଥିଲେ । ଦେଶର ପ୍ରଥମ ଆଥଲେଟ ଭାବେ ବାପି ଯୁବ ଏସିଆନ ଚମ୍ପିଅନସିପରେ 400ମିଟର ହର୍ଡଲ୍ସରେ ରୌପ୍ୟ ଜିତିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ବାପିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
17 ବର୍ଷୀୟ ବାପି ଗତ ମାର୍ଚ୍ଚ ମାସରେ 18ତମ ଜାତୀୟ ଯୁବ ଆଥଲେଟିକ ଚାମ୍ପିଅନସିପରେ ଭାଗ ନେଇ 400 ମିଟର ହର୍ଡଲ୍ସରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇ 51.90 ସେକେଣ୍ଡରେ ବିଶ୍ବର ଏକ ନମ୍ବର ହୋଇଥିଲେ । ପୁଣି ଆଉଥରେ ଚମତ୍କାର ଟାଇମିଂ ସହ ଅନ୍ତର୍ଜାତୀୟ ପଦକ ଜିତିବାରେ ସଫଳ ହୋଇଛନ୍ତି । 400 ମିଟର ହର୍ଡଲ୍ସର ଫାଇନାଲ ରାଉଣ୍ଡରେ ବାପି 51.38 ସେକେଣ୍ଡ ଶେଷ କରି ଦ୍ବିତୀୟ ସ୍ଥାନରେ ରହିଥିଲେ । ଏହି ଇଭେଣ୍ଟରେ ଶ୍ରୀଲଙ୍କାର କୁଡା ଲିୟାନାଟ ଆୟୋମଲ 51.40 ସେକେଣ୍ଡ ସହ ବ୍ରୋଞ୍ଜ ଏବଂ କତାରର ମହମତ ଅବାକର ଇବ୍ରାହମନ 50.91 ସେକେଣ୍ଡ ସହ ସ୍ବର୍ଣ୍ଣ ପଦକ ଜିତିଥିଲେ ।
କଳିଙ୍ଗ ଷ୍ଟାଡିୟମରେ ଓଡିଶା ରିଲାଏନ୍ସ ଆଥଲେଟିକ ଉତ୍କର୍ଷ କେନ୍ଦ୍ରରେ ପ୍ରଶିକ୍ଷଣ ନେଉଛନ୍ତି ବାପି । ନିକଟରେ ଶେଷ ହୋଇଥିବା 18ତମ ଜାତୀୟ ଯୁବ ଆଥଲେଚିକ ଚାମ୍ପିଅନସିପରେ ସେ ସ୍ବର୍ଣ୍ଣ ପଦକ ଜିତିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାପିଙ୍କୁ 25 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ । ଉଜବେକିସ୍ତାନରେ ଚାଲିଥିବା ପଞ୍ଚମ ଯୁବ ଏସିଆନ ଆଥଲେଟିକ ଚମ୍ପିଆନସିପରେ ବାପିଙ୍କର ଏହା ପ୍ରଥମ ଅନ୍ତର୍ଜାତୀୟ ପଦକ ।