ହାଇଦ୍ରାବାଦ: ମହାମାରୀ COVID-19 ଶେଷ ହୋଇନାହିଁ, ମାତ୍ର ଏପରି ପ୍ରତୀତ ହେଉଛି ଯେ ବିଶ୍ବ ଏହି ଭୟଙ୍କର ଭୂତାଣୁ ସହ ଜୀବନକୁ ଆପଣାଉଛି । ଏକାଧିକ ବଡ ଇଭେଣ୍ଟ ସହ ବର୍ଷ ୨୦୨୨ରେ କ୍ରୀଡା, ଆନନ୍ଦ ଓ ମନୋରଞ୍ଜନର ବଡ ଭୂମିକା ଗ୍ରହଣ କରିବାକୁ ଯାଉଛି ।
ଟେନିସ ଗ୍ରାଣ୍ଡ ସ୍ଲାମ୍ ଓ ବ୍ୟାଡମିଣ୍ଟନ କ୍ୟାଲେଣ୍ଡର ଭଳି ବାର୍ଷିକ ଟୁର୍ଣ୍ଣାମେଣ୍ଟର ସାଧାରଣ ରୋଷ୍ଟର ବ୍ୟତୀତ ଭାରତ ତଥା ବିଶ୍ବରେ ବହୁ ପ୍ରତୀକ୍ଷିତ ମେଗା କ୍ରୀଡା ଇଭେଣ୍ଟ ଉପରେ ନଜର ପକାନ୍ତୁ...
କ୍ରିକେଟ
ଭାରତୀୟ ଟିମର ଦକ୍ଷିଣ ଆଫ୍ରିକା ଗସ୍ତ(ଡିସେମ୍ବର ୨୬ରୁ ଜାନୁଆରୀ ୨୩):ସଂଘର୍ଷପୂର୍ଣ୍ଣ ଟେଷ୍ଟ ସିରିଜ ଆରମ୍ଭ ହୋଇସାରିଛି ଓ ଭାରତୀୟ ଟିମ ଦମଦାର ବିଜୟରୁ ଅଭିଯାନ ଆରମ୍ଭ କରିଛି । ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପରେ ୩ ଟିକିଆ ଦିନିକିଆ ସିରିଜ ମଧ୍ୟ ଖେଳାଯିବ । ଯେଉଁଥିରେ ଭାରତ ପ୍ରଥମ ଥର ପାଇଁ ଦେଖିବ ଲୋକେଶ ରାହୁଲଙ୍କ ଅଧିନାୟକତ୍ବ । ରୋହିତ ଶର୍ମା ଆହତ କାରଣରୁ ସିରିଜରୁ ବାଦ୍ ପଡିବା ପରେ ରାହୁଲଙ୍କ ନେତୃତ୍ବ ଭାର ମିଳିଛି ।
ୱେଷ୍ଟଇଣ୍ଡିଜରେ ICC ୧୯ ବର୍ଷରୁ କମ ପୁରୁଷ ODI ବିଶ୍ବକପ(ଜାନୁଆରୀ ୧୫ରୁ ଫେବ୍ରୁଆରୀ ୫): ଦିଲ୍ଲୀ ବ୍ୟାଟର ୟଶ ଦୁଲ ଭାରତୀୟ ଜୁନିଅର ଟିମର ନେତୃତ୍ବ ନେଇପାରନ୍ତି । ଏହି ମେଗା ଟୁର୍ଣ୍ଣାମେଣ୍ଟରେ ଭାରତର ପଞ୍ଚମ ଟାଇଟେଲ ବିଜୟ ଲକ୍ଷ୍ୟ ରହିବ । ବୟସ ବର୍ଗ ଗ୍ରୁପ୍ ମେଗା ଇଭେଣ୍ଟରେ ମୋଟ ୧୬ଟି ଟିମ ଟାଇଟେଲ ପାଇଁ ଲଢେଇ କରିବେ ଓ ୪୮ଟି ମୁକାବିଲା ଖେଳାଯିବ ।
ନ୍ୟୁଜିଲାଣ୍ଡରେ ICC ମହିଳା ଦିନିକିଆ ବିଶ୍ବକପ(ମାର୍ଚ୍ଚ ୪ରୁ ଏପ୍ରିଲ ୩): ମହାମାରୀ ଯୋଗୁଁ ଗୋଟିଏ ବର୍ଷ ସ୍ଥଗିତ ହୋଇଥିବା ଏହି ମେଗା ଇଭେଣ୍ଟରେ ଭାରତ ଏକ ପ୍ରମୁଖ ଟ୍ରଫି ଦାବିଦାର ଟିମ ଭାବେ ଖେଳିବ । ୩୯ ବର୍ଷୀୟା ଭାରତୀୟ କ୍ୟାପଟେନ ମିତାଲି ରାଜଙ୍କ ପାଇଁ ଏହି ଟୁର୍ଣ୍ଣାମେଣ୍ଟ ହୋଇପାରେ ଶେଷ ବିଶ୍ବକପ ଟୁର୍ଣ୍ଣାମେଣ୍ଟ । ଫଳରେ ଭଲ ପ୍ରଦର୍ଶନ ଓ ଟ୍ରଫି ବିଜୟ ସହ କ୍ରିକେଟର ବଡ ମଞ୍ଚକୁ ବିଦାୟ କହିପାରନ୍ତି କ୍ୟାପଟେନ ମିତାଲି । ଭାରତରେ ମହିଳା କ୍ରିକେଟରେ ସେ ନିଜର ପ୍ରଦର୍ଶନ, ଅସଂଖ୍ୟ କିର୍ତ୍ତୀମାନ ବଳରେ ମହାନ ମହିଳା କ୍ରିକେଟର କିମ୍ବଦନ୍ତୀ ହୋଇସାରିଛନ୍ତି ।
ଅଷ୍ଟ୍ରେଲିଆରେ ICC ମହିଳା ଟି-୨୦ ବିଶ୍ବକପ(ଅକ୍ଟୋବର ୧୬ରୁ ନଭେମ୍ବର ୧୩): ଟି-୨୦ ଫର୍ମାଟରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ବିଶ୍ବ ଚାମ୍ପିଅନ ତାଜ୍ ପିନ୍ଧିବାର ଠିକ୍ ବର୍ଷକ ପରେ ଘରୋଇ ମାଟିରେ ଟାଇଟେଲ ଡିଫେଣ୍ଡ କରିବ କଙ୍ଗାରୁ ଟିମ । ଗତ ସଂସ୍କରଣରେ ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଦାୟ ନେବାପରେ ଭାରତୀୟ ଟିମ ପାଇଁ ଭଲ ପ୍ରଦର୍ଶନ କରିବାକୁ ଭଲ ସୁଯୋଗ ରହିବ ।
ବହୁକ୍ରୀଡା(Multisports)
ଚାଇନାର ବେଜିଙ୍ଗ୍ରେ ଶୀତକାଳୀନ ଅଲମ୍ପିକ୍(ଫେବ୍ରୁଆରୀ ୪ରୁ ୨୦):ଚୀନ୍ର ମାନବିକ ଅଧିକାରର ଭାବମୂର୍ତ୍ତି ନ ଥିବାରୁ ରାଜନୈତିକ ବିବାଦ ଘେରରେ ରହିଛି ଏହି ମେଗା ଇଭେଣ୍ଟ । ପ୍ରତିଯୋଗିତା ପୂର୍ବରୁ ହିଁ ଆମେରିକା ଓ ବ୍ରିଟେନ ଭଳି ମହାଶକ୍ତି ଦେଶ ଦ୍ବାରା ରାଜନୈତିକ ରୂପରେ ଏହାର ବହିଷ୍କାର କରାଯାଇସାରିଛି । ତେବେ ଆଥଲେଟ୍ ନିଜ ତରଫରୁ ଏହା ସୁନିଶ୍ଚିତ କରିବାକୁ ପ୍ରୟାସ କରିବେ ଯେ ରାଜନୈତିକ ନାଟକ ସତ୍ତ୍ବେ ତାଙ୍କର ପ୍ରଦର୍ଶନ ଉପରେ ଧ୍ୟାନ କେନ୍ଦ୍ରୀତ ହେବ ।
ଶୀତକାଳୀନ କ୍ରୀଡାମହାକୁମ୍ଭରେ ଗୋଟିଏ ବି ପଦକ ଜିତିନଥିବା ଭାରତ ଏଥର ପଦକ ମରୁଡିକୁ ଶେଷ କରିବା ଲକ୍ଷ୍ୟରେ ରହିଛି । ସ୍କିର ଆରିଫଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ସେ ଦୁଇଟି ଇଭେଣ୍ଟ- ସ୍ଳାଲମ ଓ ଜିଆଣ୍ଟ ସ୍ଳାଲମ ପାଇଁ ଯୋଗ୍ୟତା ହାସଲ କରିସାରିଛନ୍ତି ।
ଇଂଲଣ୍ଡର ବର୍ମିଂହାମରେ (Commonwealth games)ରାଜ୍ୟଗୋଷ୍ଠୀ କ୍ରୀଡା (ଜୁଲାଇ ୨୮ରୁ ଅଗଷ୍ଟ ୮): ଭାରତୀୟ ଆଥଲେଟ୍ଙ୍କ ପାଇଁ ଏହା ବହୁ ପ୍ରତୀକ୍ଷିତ ଇଭେଣ୍ଟ । ଟୋକିଓରେ ଅଲମ୍ପିକ୍ ଓ ପାରାଲମ୍ପିକ୍ରେ ଐତିହାସିକ ପ୍ରଦର୍ଶନ ପରେ ରାଜ୍ୟଗୋଷ୍ଠୀ କ୍ରୀଡା(CWC)ର ଏହି ସଂସ୍କରଣରେ ଇତିହାସ ରଚିବା ଲକ୍ଷ୍ୟରେ ପ୍ରସ୍ତୁତି ଚଳାଇଛନ୍ତି ଭାରତୀୟ ଆଥଲେଟ୍ ।
ତେବେ ପ୍ରତିଯୋଗିତାର ଏହି ସଂସ୍କରଣରୁ ସୁଟିଂ ପ୍ରତିଯୋଗିତା ବାଦ୍ ପଡିଥିବାରୁ ଭାରତୀୟ ଟିମ ପାଇଁ ନିରାଶଜନକ ଖବର ହେବ । ମାତ୍ର ଏହା ବ୍ୟତୀତ ଭାରତୀୟ ଆଥଲେଟ୍ କିପରି ପଦକ ପ୍ରଦର୍ଶନକୁ ଅଧିକ କରିବାର ଆହ୍ବାନକୁ ପାର୍ କରିବେ ଦେଖିବା ରୋମାଞ୍ଚକର ହେବ । ବର୍ଷ ୧୬୬ରୁ ଡେବ୍ୟୁ ପରେ ଏହି ଖେଳରେ ମିଳିଥିବା ୧୩୫ ପଦକ ମଧ୍ୟରୁ ଦେଶର ପଦକ ସଂଖ୍ୟାରେ ୬୩ଟି ସ୍ବର୍ଣ୍ଣ ରହିଛି ।
ଚାଇନାର ହଙ୍ଗ୍ଝୋଉ(Asian Games) ଏସୀୟ କ୍ରୀଡା(ସେପ୍ଟେମ୍ବର ୧୦ରୁ ୨୫): ଭାରତ ଏହି ପ୍ରତିଯୋଗିତାର ଗତ ସଂସ୍କରଣରେ ଅର୍ଥାତ ୨୦୧୮ ଏସିଆନ ଗେମ୍ସରେ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା । ଫଳରେ ଅଲମ୍ପିକରେ ଐତିହାସିକ ପ୍ରଦର୍ଶନକୁ ଏଠାରେ ଦୋହରାଇବା ଲକ୍ଷ୍ୟରେ ରହିବେ ଭାରତୀୟ ଆଥଲେଟ୍ ।