ଭୁବନେଶ୍ବର: ପୁଣି ଚର୍ଚ୍ଚାରେ ଓଡିଆ ସ୍ପ୍ରିଣ୍ଟର ଦୂତି ଚାନ୍ଦ । ମନ୍ତବ୍ୟ ପରେ ମନ୍ତବ୍ୟ ବଦଳାଉଛନ୍ତି ଦୂତି । ପ୍ରଥମେ ଅଲମ୍ପିକ୍ ଅଭ୍ୟାସ ପାଇଁ କାର ବିକିବା କଥା ସୋସିଆଲ ମଡିଆରେ ପୋଷ୍ଟ କରି ପରେ ପୋଷ୍ଟ ଡିଲିଟ୍ କରିଥିଲେ ।
ତେବେ ଗତକାଲି (ବୁଧବାର) ଟ୍ବିଟରରେ କାର ବିକ୍ରି ନେଇ ବିବୃତି ରଖିଥିଲେ ଦୂତି । ଆଉ ଏପଟେ ଗୁରୁବାର ଦୂତିଙ୍କ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ରଖିଛି ଓଡିଶା ଯୁବ ଓ କ୍ରୀଡା ବ୍ୟାପାର ବିଭାଗ । ଗତ 2015 ମସିହାରୁ ଦୂତିଙ୍କୁ ସରକାରଙ୍କ ତରଫରୁ ଭିନ୍ନ ଭିନ୍ନ ସମୟରେ ସମୁଦାୟ 4.9 କୋଟି ଟଙ୍କା ଦିଆଯାଇ ସାରିଛି ବୋଲି କ୍ରୀଡା ବିଭାଗ ସ୍ପଷ୍ଟ କରିଛି । ତେବେ କ୍ରୀଡା ବିଭାଗର ସ୍ପଷ୍ଟୀକରଣ ପରେ ଦୂତିଙ୍କ ଅଭ୍ୟାସ ଖର୍ଚ୍ଚ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ତେବେ ସୋସିଆଲ ମିଡିଆ ଓ ଗଣାମଧ୍ୟମରେ ଦୂତିଙ୍କ ଏଭଳି ବୟାନ ନେଇ ଆଲୋଡନ ସୃଷ୍ଟି ହେବା ପରେ ଦୂତିଙ୍କୁ ଦିଆଯାଇଥିବା ସରକାରୀ ଅନୁଦାନର ପୁରା ବିବରଣୀ ରଖିଛି କ୍ରୀଡା ବିଭାଗ ।
- 1. ଏସୀୟ ଗେମ୍ସ 2018 ରେ ଜିତିଥିବା ପଦକ ପାଇଁ ଆର୍ଥିକ ପ୍ରୋତ୍ସାହନ ଭାବରେ 3 କୋଟି ଟଙ୍କା |
- 2. 2015-19 ମଧ୍ୟରେ ତାଲିମ ଏବଂ ଆର୍ଥିକ ସହାୟତା ପାଇଁ 30 ଲକ୍ଷ ଟଙ୍କା |
- 3. ଟୋକିଓ ଅଲିମ୍ପିକ୍ସ ତାଲିମ ସହାୟତା ପାଇଁ 50 ଲକ୍ଷ ଟଙ୍କା (02/08/2019 ଏବଂ 27/12/2019) ରେ ଦୁଇଟି କିସ୍ତିରେ ପ୍ରଦାନ ।
- 4. ରାଜ୍ୟ ସରକାର ଦୂତି ଚାନ୍ଦଙ୍କୁ ଓଡିଶା ଖଣି ନିଗମ (PSUର ଗୋଲ୍ଡ କାଟାଗୋରୀ) ରେ ଗ୍ରୁପ୍-ଏ ସ୍ତରର ଅଧିକାରୀ ଭାବରେ ନିଯୁକ୍ତ କରିଛନ୍ତି । ସେ ବର୍ତ୍ତମାନ ମାସିକ 84 ହଜାର 604 ଟଙ୍କା (ଜୁନ୍ 2020) ଦରମା ପାଉଛନ୍ତି । ତେବେ ଅଭ୍ୟାସ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବା ପାଇଁ ତାଙ୍କୁ ଅଫିସ ଅସିବା ଆଶ୍ୟକ ନୁହେଁ ବୋଲି ସ୍ପଷ୍ଟୀକରଣରେ ଉଲ୍ଲେଖ କରାଯାଇଛି । ତେଣୁ ସେ ନିଯୁକ୍ତି ପାଇବା ଦିନଠାରୁ ତାଙ୍କୁ କୌଣସି ଅଫିସିଆଲ୍ସ କାମ ଦିଆଯାଇ ନାହିଁ ।
- 5. ତାଲିମ ଏବଂ ଆର୍ଥିକ ପ୍ରୋତ୍ସାହନ ପାଇଁ OMC ଦୂତି ଚାନ୍ଦଙ୍କୁ 29 ଲକ୍ଷ ଟଙ୍କା ପ୍ରଦାନ କରିଛି ।
- 6. ରାଜ୍ୟ ସରକାର/ OMC ପକ୍ଷରୁ ଦୂତି ଚାନ୍ଦଙ୍କୁ 2015ରୁ ମୋଟ 4.09 କୋଟି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।
- 7. ଆଥଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ (AFI) ଏବଂ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ (MYAS) ଓ ଭାରତ ସରକାର ମଧ୍ୟ ଆଥଲେଟ୍ସଙ୍କୁ ପର୍ଯ୍ୟାପ୍ତ ସହାୟତା ଯୋଗାଇ ଦେଉଛନ୍ତି ।