ନୂଆଦିଲ୍ଲୀ:ଜାପାନରେ ଚାଲିଥିବା ମହିଳା ହକି ଜୁନିୟର ଏସିଆ କପର ଆଜି ସେମିଫାଇନାଲ ମ୍ୟାଚ । ଦୁଇଟି ଯାକ ସେମିଫାଇନାଲ ମ୍ୟାଚ ଆଜି ଖେଳାଯିବ । ପ୍ରଥମ ସେମିରେ ଭାରତ ଓ ଘରୋଇ ଜାପାନ ମଧ୍ୟରେ ଖେଳାଯିବ । ଏହାପରେ ଦ୍ବିତୀୟ ସେମିଫାଇନାଲ ମ୍ୟାଚରେ ଚୀନ ଓ ଦକ୍ଷିଣ କୋରିଆ ମୁହାଁମୁହିଁ ହେବେ । ଏସିଆ କପର ଶ୍ରେଷ୍ଠ 3ଟି ଦଳ ଏଫଆଇଏଚ ଜୁନିଅର ହକି ବିଶ୍ବକପ ଖେଳିବାକୁ ଯୋଗ୍ୟତା ହାସଲ କରିବେ । ଫଳରେ ଭାରତ ପାଇଁ ଆଜିର ମ୍ୟାଚ ବେଶ ଗୁରୁତ୍ବ ବହନ କରୁଛି । ତେବେ ଏସିଆ କପର ଫାଇନାଲରେ ପ୍ରବେଶ କରିବାକୁ ଆଜି 4ଟି ଯାକ ଦଳ ଜୋରଦାର ଉଦ୍ୟମ କରିବେ । ସକାଳ 9ଟା 30ରୁ ଆରମ୍ଭ ହେବ ମ୍ୟାଚ । ଆଜିର ମ୍ୟାଚ ବେଶ ରୋମାଞ୍ଚକର ହେବା ନେଇ ଆଶା କରାଯାଉଛି ।
ଘରୋଇ ଫିଲ୍ଡରେ ମ୍ୟାଚ ହେବାକୁ ଥିବା ବେଳେ ଜାପାନର ମନୋବଳ ଦୃଢ ରହିଛି । ସର୍ବାଧିକ ଗୋଲ କରି ଭାରତକୁ ମାତ ଦେଇ ସେମିଫାଇନାଲରେ ବିଜୟୀ ହେବା ନେଇ ଆଶା ରଖିଛି ଜାପାନ । ଅନ୍ୟପଟେ ଭାରତୀୟ ମହିଳା ହକି ଦଳର ଖେଳାଳୀଙ୍କ ମନୋବଳ ମଧ୍ୟ ଦୃଢ ରହିଛି । ପୂର୍ବ ମ୍ୟାଚରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରିଥିଲା । ଅନ୍ତିମ ଲିଗ ମ୍ୟାଚରେ ଚାଇନିଜ ତାଇପେଇକୁ ହରାଇ ସେମିଫାଇନାଲରେ ପ୍ରବେଶ କରିବାର ସୌଭାଗ୍ୟ ଅର୍ଜନ କରିଥିଲା ଭାରତ । ଚାଇନିଜ ତାଇପେଇ ବିପକ୍ଷରେ 11-0 ବୃହତ ବିଜୟ ହାସଲ କରି ସେମି ଫାଇନାଲରେ ସ୍ଥାନ ପକ୍କା କରିଥିଲା ଟିମ ଇଣ୍ଡିଆ । ବର୍ତ୍ତମାନ ପୁଲ-ଏରେ ଶୀର୍ଷ ସ୍ଥାନରେ ରହିଛି ଟିମ ଇଣ୍ଡିଆ । ତେଣୁ ବିଜୟ ଧାରା ବଜାୟ ରଖି ଜାପାନକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିବାର ଲକ୍ଷ୍ୟ ରଖିଛି ଭାରତ ।