ରାଉରକେଲା: ହକି ବିଶ୍ବକପ ପାଇଁ ବାଜି ସାରିଛି ବିଗୁଲ । ୨୦୨୩ ହକି ବିଶ୍ୱକପର ପ୍ରାୟୋଜକ ରହିଛି ଓଡିଶା । ଜାନୁଆରୀ ୧୩ ରୁ ୨୯ ଯାଏଁ ଖେଳାଯିବ ହକି ବିଶ୍ୱକପ । ହକି ବିଶ୍ୱକପ ପାଇଁ ନୂଆବୋହୂ ଭଳି ସଜେଇ ହେଉଛି ସ୍ମାର୍ଟସିଟି ରାଉରକେଲା । ଏନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଜୋରସରରେ ଆଗେଇ ଚାଲିଛି ।
ସଜେଇ ହେଉଛି ରାଉରକେଲା ସହର । ନୂଆ ରୂପରେ ସଜେଇ ହେଉଛି ଷ୍ଟିଲସିଟି ରାଉରକେଲା । ସହରର ରାସ୍ତାଘାଟଠାରୁ ଆରମ୍ଭ କରି ବିଭିନ୍ନ ଛକ ଏବଂ କାନ୍ଥ ବାଡ଼ ସବୁଠାରେ ନୂଆ ରଙ୍ଗ ରୂପ ଦେବାକୁ ଲାଗି ପଡିଛି ଜିଲ୍ଲା ପ୍ରଶାସନ । ସେପଟେ ରାଉରକେଲା ସହରର ରିଙ୍ଗରୋଡ଼ରେ ସୌନ୍ଦର୍ଯ୍ୟକରଣ ପାଇଁ ବ୍ୟବହାର ହୋଇଛି ଲାଇଟ ।
ବିଭିନ୍ନ ପ୍ରକାରର ଆଲୋକ ମାଳରେ ସହରର ରିଙ୍ଗ ରୋଡ଼ର ସୁନ୍ଦରତା ଆହୁରି ଦ୍ବିଗୁଣିତ ହୋଇପଡିଛି । ଏହା ସହିତ ସହରର ବିଭିନ୍ନ ସ୍ଥାନରେ ନୂଆ କରି ତିଆରି କରାଯାଇଛି ପାର୍କ । ପାର୍କଗୁଡିକରେ ମଧ୍ୟ ସୁନ୍ଦର ଲାଇଟ ବ୍ୟବସ୍ଥା ସହ କରାଯାଇଛି ରଙ୍ଗ ବେରଙ୍ଗ ୱାଟର ଫାଉନଣ୍ଟେନ । ଏହାସହ ରାଉରକେଲା ସହରର ରାସ୍ତ କଡ଼ରେ ଥିବା କାନ୍ଥଗୁଡିକରେ ମଧ୍ୟ ସୁନ୍ଦର ସୁନ୍ଦର ଚିତ୍ର ଅଙ୍କା ଯାଇଛି । ଖାଲି ପଡିଥିବା କାନ୍ଥ ଗୁଡିକ ବର୍ତ୍ତମାନ ସୁନ୍ଦର ଚିତ୍ରରେ ଝଟକୁଛି । କଳା ସଂସ୍କୃତି ଓ ହକି ହିରୋମାନଙ୍କର ଚିତ୍ର ସହରର ବିଭିନ୍ନ କାନ୍ଥରେ ଶୋଭାପାଉଛି ।