ହାଇଦ୍ରାବାଦ: ଭାରତୀୟ କ୍ରିକେଟ ଦଳର ୱିକେଟ କିପର ବ୍ୟାଟର ଋଷଭ ପନ୍ତ ଗତ ଡିସେମ୍ବର ମାସରେ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ । ଏଥିରେ ତାଙ୍କର କାର ସମ୍ପୂର୍ଣ୍ଣ ଜଳି ଯାଇଥିବାବେଳେ ସେ ମଧ୍ୟ ଗୁରୁତର ଆହତ ହୋଇଥିଲେ । ତେବେ ବର୍ତ୍ତମାନ ସେ ମୁମ୍ବାଇର କୋକିଳାବେନ ହସ୍ପିଟାଲରେ ଚିକିତ୍ସାଧିନ ଥିବାବେଳେ ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ସାମାଜିକ ଗଣ ମାଧ୍ୟମରେ ପୋଷ୍ଟ କରିଛନ୍ତି । ଟ୍ବିଟ ମାଧ୍ୟମରେ ସେ ତାଙ୍କର ସର୍ଜରୀ ସଫଳ ହୋଇଥିବା ସୂଚନା ଦେଇଛନ୍ତି । ଏହାସହ କଠିନ ସମୟରେ ସହଯୋଗ ପାଇଁ ସମସ୍ତ ପ୍ରଶଂସକ ତଥା ବିସିସିଆଇ ଓ ସରକାରୀ ଅଧିକାରୀ ମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ତେବେ ସେ ଅତିଶୀଘ୍ର ଦଳକୁ ଫେରିବାକୁ ମଧ୍ୟ ଚାହୁଁଥିବା କହିଛନ୍ତି ।
ଟ୍ବିଟରରେ ଋଷଭ ପନ୍ତ ଲେଖିଛନ୍ତି, "ଏଭଳି ସମୟରେ ସମସ୍ତଙ୍କ ସମର୍ଥନ ଓ ଶୁଭକାମନା ପାଇଁ ସମସ୍ତଙ୍କୁ ଆଭାର ବ୍ୟକ୍ତ କରୁଛି । ମୋର ସର୍ଜରୀ ସଫଳ ହେଉଛି । ମୁଁ ଏବେ ଧୀରେଧୀରେ ସୁସ୍ଥ ହେଉଛି ଏବଂ ଭବିଷ୍ୟତରେ ଯେକୌଣସି ପରିସ୍ଥିତି ପାଇଁ ମଧ୍ୟ ମୁଁ ପ୍ରସ୍ତୁତ ଅଛି । BCCI, ଜୟ ଶାହା ଓ ସରକାରୀ ଅଧିକାରୀ ମାନଙ୍କୁ ଧନ୍ୟବାଦ । ହୃଦୟର ଗଭୀରତମ ପ୍ରଦେଶରୁ ମୋର ସମସ୍ତ ପ୍ରଶଂସକ, ସାଥି ଖେଳାଳୀ, ଡାକ୍ତର ଓ ସହଯୋଗୀଙ୍କୁ ମଧ୍ୟ ସେମାନଙ୍କର ଦୟାଳୁ କଥା ଓ ପ୍ରୋତ୍ସାହନ ପାଇଁ ଧନ୍ୟବାଦ ଦେଉଛି । ସମସ୍ତଙ୍କୁ ପୁଣିଥରେ ମୈଦାନରେ ଦେଖିବା ପାଇଁ ଇଛା ହେଉଛି ।"