ପୁରୀ:ଜାତୀୟ ସବ ଜୁନିୟର ଆର୍ଟିଷ୍ଟିକ ଜିମ୍ନାଷ୍ଟିକ ଚମ୍ପିଆନସିପରେ ଓଡିଆ ଝିଅଙ୍କ କମାଲ । ଏଥିରେ ଭାଗ ନେଇ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ପୁରୀର ଧନଲକ୍ଷ୍ମୀ ରାଓ । ଦୀର୍ଘ 30 ବର୍ଷ ପରେ ଓଡିଶାକୁ ଜାତୀୟ ସବ ଜୁନିଅର ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚମ୍ପିଆନସିପରେ ବ୍ରୋଞ୍ଜ ପଦକ ମିଳିଛି । ଯାହା ଓଡିଶା ପାଇଁ ଗର୍ବ ଓ ଗୌରବର ବିଷୟ । ଧନଲକ୍ଷ୍ମୀଙ୍କ ଏପରି ସଫଳତା ପରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଧନଲକ୍ଷ୍ମୀ, ଜିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷକ ଓ କ୍ରୀଡା ଶିକ୍ଷକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ବ୍ରୋଞ୍ଜ ପଦକ ହାସଲ ପରେ ବେଶ ଖୁସି ଅଛନ୍ତି ଜିମ୍ନାଷ୍ଟିକ ଧନଲକ୍ଷ୍ମୀ । ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଏହି ସଫଳତାକୁ କିପରି ଜାରି ରଖିବେ ସେନେଇ ଲକ୍ଷ୍ୟ ରଖିନ୍ତି । ପୁରୀ ଜିଲ୍ଲା ସ୍କୁଲର କ୍ରୀଡ଼ା ଶିକ୍ଷକ ରଞ୍ଜନ କୁମାର ରେଡ୍ଡୀଙ୍କର ଛାତ୍ର ହେଉଛନ୍ତି ଧନଲକ୍ଷ୍ମୀ । ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ ପାଇଁ ପୁରୀରେ ଭଲ କ୍ରୀଡା ଭିତ୍ତିଭୂମି ନଥିବା ବେଳେ ସରକାର ଏ ଦିଗରେ ସହଯୋଗ କଲେ ଏହି ଖେଳରେ ଆହୁରି ସଫଳତା ମିଳିପାରିବ ବୋଲି କୋଚ କହିଛନ୍ତି । ତେବେ ଧନଲକ୍ଷ୍ମୀଙ୍କ ପରିଶ୍ରମ, ନିଷ୍ଠା ଦ୍ବାରା ଦୀର୍ଘ 30 ବର୍ଷ ପରେ ଓଡ଼ିଶାକୁ ଜିନ୍ମାଷ୍ଟିକ କ୍ଷେତ୍ରରେ ପଦକ ମିଳିପାରିଛି । ଗତ 16 ରୁ 19 ତାରିଖ ପର୍ଯ୍ୟନ୍ତ କୋଲକତା ଠାରେ ଅନୁଷ୍ଠିତ ହୋଇଥିଲା ଜାତୀୟ ସବ ଜୁନିୟର ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ ଚମ୍ପିଆନସିପ ।