ହାଇଦ୍ରାବାଦ: ଆଉ ନାହାନ୍ତି ଅଲମ୍ପିଆନ ପିଟି ଉଷାଙ୍କ ଦ୍ରୋଣାଚାର୍ଯ୍ୟ ଗୁରୁ ଓଏମ ନାମ୍ବିଆର । 1984 ଲସ୍ ଆଞ୍ଜେଲସ ଅଲମ୍ପିକରେ ପିଟି ଉଷାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା । ଅଲମ୍ପିକର ଏହି ସଂସ୍କରଣରେ ଆଥଲେଟିକ୍ସରେ ପଦକ ନିକଟତର ହୋଇଥିଲେ ଏହି ଭାରତୀୟ ଧାବିକା । ତେବେ ଏହାର ପରବର୍ଷ ଅର୍ଥାତ ବର୍ଷ ୧୯୮୫ରେ ଜାକର୍ତ୍ତା ଏସିଆନ ଚମ୍ପିଆନସିପରେ ଉଷା ୬ଟି ପଦକ ଜିତି ବିଶ୍ବରେ ଚର୍ଚ୍ଚିତ ପାଲଟିଥିଲେ । ଏଥିରେ ଥିଲା ୫ଟି ସ୍ବର୍ଣ୍ଣ ଓ ଗୋଟିଏ କାଂସ୍ୟ ପଦକ । ୧୦୦ମିଟର ୧୧.୬୪ ସେକେଣ୍ଡ, ୨୦୦ ମିଟର ୨୩.୦୫ ସେକେଣ୍ଡ ଓ ୪୦୦ ମିଟର ୫୨.୬୨ ସେକେଣ୍ଡରେ ପହଞ୍ଚି ଏସିଆ ରେକର୍ଡର ଅଧିକାରୀ ହୋଇଥିଲେ ।
ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପିଟି ଉଷାଙ୍କ ଚମତ୍କାର ପ୍ରଦର୍ଶନ ପରେ କୋଚ୍ ଓ ଏମ ନାମ୍ବିଆର ଚର୍ଚ୍ଚାକୁ ଆସିଥିଲେ । ନାମ୍ବିଆରଙ୍କ ଟେକ୍ନିକାଲ ବିଶ୍ଲେଷଣର ବିଚକ୍ଷଣ ପ୍ରତିଭା ଓ ନିରନ୍ତର ପ୍ରେରଣା ପିଟି ଉଷାଙ୍କ ଅନ୍ତର୍ଜାତୀୟ ଆଥଲେଟିକ୍ସର ସଫଳତାର କାରଣ ବୋଲି କୁହାଯାଏ ।