ନୂଆଦିଲ୍ଲୀ:ଆପଣ ସମସ୍ତଙ୍କୁ ଭେଟିବାର ଅବସର ମୁଁ ଖୋଜିଥାଏ । କେବେ ତୁମର ଅନୁଭବ ଶୁଣିବି ତାହାକୁ ଅପେକ୍ଷା କରିଥାଏ । ମୁଁ ଦେଖିଛି ପ୍ରତିଥର ତୁମେ ନୂଆ ଉତ୍ସାହର ସହ ଆଗକୁ ଆସିଥାଅ । ଏସୀୟ ପାରା କ୍ରୀଡାର ସଫଳତା ପାଇଁ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା । ତୁମେ ଦେଶ ବାହାରେ ଚୀନରେ ଖେଳୁଥିଲ ମୁଁ ମଧ୍ୟ ତୁମ ସହିତ ଥିଲି । ପ୍ରତି ସମୟରେ ତୁମର ଗତିବିଧି, ପ୍ରୟାସ ଓ ଦୃଢ଼ତାକୁ ଏଠି ମୁଁ ବଞ୍ଚୁଥିଲି । ତୁମେ ସମସ୍ତ ଯେପରି ଦେଶର ମାନ ବଢାଇଛ ତାହା ଅଦ୍ଭୂତପୂର୍ବ । ଏହି ଐତିହାସିକ ସଫଳତା ପାଇଁ ଦେଶବାସୀଙ୍କ ପକ୍ଷରୁ ତୁମକୁ ଅଭିନନ୍ଦନ ଜଣାଉଛି । ଖେଳ ସର୍ବଦା ପ୍ରତିଯୋଗିତା ଭରା ହୋଇଥାଏ । ପରସ୍ପରକୁ ଏଥିରେ କଡ଼ା ଟକ୍କର ଦିଆଯାଏ । ତୁମେ ପ୍ରତିଦିନ ନିଜ ସହ ଲଢେଇ କରିଥାଅ । ଏଠାରେ ଉପସ୍ଥିତ ଏସୀୟ ପାରା କ୍ରୀଡାରେ ଭାଗ ନେଇଥିବା ସମସ୍ତ କ୍ରୀଡାବିତ କେହି ଜିତିକି ଆସିଛନ୍ତି ତ କେହି ଶିଖିକି ଆସିଛନ୍ତି । ଆପଣଙ୍କ ମଧ୍ୟରୁ କେହି ଜଣେ ବି ହାରି ନାହାନ୍ତି । ଖେଳରେ ଦୁଇଟି କଥା ଜିତିବା ନଚେତ ଶିଖିବା । ନୂଆଦିଲ୍ଲୀ ସ୍ଥିତ ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ଚତୁର୍ଥ ଏସୀୟ ପାରା କ୍ରୀଡ଼ାରେ ପଦକ ବିଜେତାଙ୍କୁ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
111ପଦକ 140 କୋଟି ସ୍ବପ୍ନ:ଏସୀୟ ପାରା କ୍ରୀଡ଼ାବିତଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି,"140 କୋଟି ଦେଶବାସୀଙ୍କ ମଧ୍ୟରେ ଚୟନ ହେବା ହିଁ ବଡ଼ କଥା । ଏହା ମଧ୍ୟ ଏକ ବିଜୟ । ଏକାଧିକ ଚ୍ୟାଲେଞ୍ଜ୍ ସହ ମୁକାବିଲା କରି ତୁମେ ଅଧିକ ମଜଭୁତ ହୋଇଛ । ଦେଶବାସୀ ଆଜି ତୁମକୁ ନେଇ ଗର୍ବିତ । ତୁମେ କେବଳ ପୂର୍ବ ରେକର୍ଡ ଭାଙ୍ଗି ନାହିଁ ସେ ରେକର୍ଡକୁ ଧରାଶାୟୀ କରି ଦେଇଛ । 111 ପଦକ ଜିତି ତୁମେ ଘରକୁ ଫେରିଛ । ମୁଁ ଯେବେ ରାଜନୀତିରେ ନୂଆ ଥିଲି ଦଳର ସଂଗଠନ ପାଇଁ କାମ କରୁଥିଲି । ଲୋକସଭା ନିର୍ବାଚନରେ 12ଟି ଆସନରୁ ଲଢେଇ ହୋଇଥିବା 12ଟି ଆସନରେ ଜିତିଥିଲୁ । ମୋ ପାଇଁ ଆଶ୍ଚର୍ଯ୍ୟ ଥିଲା ଅଟଳ ବିହାରୀ ବାଜେପୀୟ ମୋତେ ଆଲିଙ୍ଗନ କରି କହିଥିଲେ 12ରୁ 12 ଜାତିବାର ଅର୍ଥ ତୁମକୁ ଜଣା ଗୋଟିଏ ରାଜ୍ୟରୁ ତୁମେ 12 ଆଣିଛ । ତେଣୁ ମୁଁ ବି ତୁମକୁ କହୁଛି 111 କେବଳ 111 ନୁହେଁ 140 କୋଟି ସ୍ବପ୍ନ । 2014ରେ ଏସୀୟାନ ପାରା ଗେମ୍ସ ପଦକର ଏହା 3 ଗୁଣା ଅଧିକ । 2014 ଅପେକ୍ଷା ଏଥର 10ଗୁଣା ଅଧିକ ସ୍ବର୍ଣ୍ଣ ପଦକ ମିଳିଛି । 2014ରେ ଭାରତ 15ତମ ସ୍ଥାନରେ ଥିଲା ମାତ୍ର ଏଥର ପଞ୍ଚମ ସ୍ଥାନରେ ରହିଛୁ । ଗତ 9ବର୍ଷରେ ଦେଶ ଅର୍ଥନୀତିରେ 10ରୁ 5କୁ ପହଞ୍ଚିଛି ତୁମେମାନେ ମଧ୍ୟ ଦେଶକୁ 10ରୁ 5ରେ ପହଞ୍ଚାଇଛ । ଏ ସବୁ ତୁମ କଠିନ ପରିଶ୍ରମର ପରିଣାମ । ଗତ କିଛି ମାସ ଭାରତ ପାଇଁ ଖେଳକୁ ନେଇ ବହୁତ ଅଦ୍ଭୂତପୁର୍ଣ୍ଣ ରହିଛି । ଅଗଷ୍ଟରେ ବୁଦାପେଷ୍ଟରୁ ଏସିଆନ ଅଥଲେଟିକ୍ସ ଚମ୍ପିଆନସିପରେ ସ୍ବର୍ଣ୍ଣ ପଦକ ମିଳିଥିଲା । ଏସୀୟ କ୍ରୀଡାରେ ବ୍ୟାଡମିଣ୍ଟନରେ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଥିଲା । ଏସୀୟ କ୍ରୀଡାରେ 107 ପଦକ ଜିତିଥିଲେ । ଏବେ ତୁମେ 111 ପଦକ ଜିତି ଭଲ ପ୍ରଦର୍ଶନ କରିଛ । ତୁମର ଏହି ପ୍ରଦର୍ଶନକୁ ଦେଖି ସମଗ୍ର ଦେଶ ଉତ୍ସାହିତ ।''