ଭୁବନେଶ୍ବର: ଭାରତୀୟ ବୋଲିଂ ସଂଘ (ବିଏଫଆଇ) ଅଧିନରେ ପରିଚାଳିତ ଖେଳ ‘ଲନ୍ ବଲ୍’ ପ୍ରଥମଥର ପାଇଁ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ସାମିଲ ହୋଇଛି । ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ତୃତୀୟ ସଂସ୍କରଣ ଆସାମର ଗୌହାଟୀରେ ଆସନ୍ତା ଜାନୁଆରି ୧୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି। ଓଡ଼ିଶା ପାଇଁ ଏହା ଅପୂର୍ବ ସୁଯୋଗ ଆଣି ଦେଇଛି । ଓଡ଼ିଶା ‘ଲନ୍ ବଲ’ ଦଳ ଏହି ବାର୍ଷିକ ଯୁବ ତଥା ତୃଣମୂଳସ୍ତରୀୟ ପ୍ରତିଯୋଗିତାରେ ପଦାର୍ପଣ କରିବାକୁ ଯାଉଛି।
ଓଡ଼ିଶାର ଏକ ୧୦ ଜଣିଆ ଦଳ ଭାଗ ନେବାକୁ ମନୋନୀତ ହୋଇଛି । ବିଗତ ୨ ବର୍ଷ ହେବ ରାଜ୍ୟରେ ଏହି ଖେଳ ନିଜର କାୟା ବିସ୍ତାର କରିବାକୁ ଚେଷ୍ଟା କରି ଆସିଛି । ଖେଲୋ ଇଣ୍ଡିଆରେ ଓଡ଼ିଶାର ଖେଳାଳି ଉନ୍ନତ ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି ଆମେ ଆଶା ରଖିଛୁ ବୋଲି କହିଛନ୍ତି ଓଡ଼ିଶା ରାଜ୍ୟ ବୋଲିଂ ଆସୋସିଏସନ୍ (ଓଏସ୍ବିଏ)ର ସଭାପତି ତଥା ପୂର୍ବତନ ସାଂସଦ ଅନଙ୍ଗ ଉଦୟ ସିଂହଦେଓ । ରାଜ୍ୟ ସରକାର ଏହି ଖେଳକୁ ସ୍ବୀକୃତି ପ୍ରଦାନ ସହ ଭିତ୍ତିଭୂମି ଯୋଗାଇ ଦେଲେ ରାଜ୍ୟ ପାଇଁ ଅନେକ ଗୌରବ ଆସିପାରିବ ସେ କହିଛନ୍ତି ।