ଭୁବନେଶ୍ବର:ସ୍ବିଜରଲାଣ୍ଡର ବାସେଲରେ ଖେଳାଯାଉଥିବା ସ୍ବିସ ଓପନ ସୁପର ୩୦୦ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ଟାଇଟେଲ ବିଜେତା ହୋଇଛନ୍ତି ଦୁଇ ଥରର ଅଲମ୍ପିକ ପଦକ ବିଜେତା ଭାରତୀୟ ସର୍ଟଲର ପିଭି ସିନ୍ଧୁ । ମହିଳା ସିଙ୍ଗଲ୍ସ ଫାଇନାଲରେ ଥାଇଲାଣ୍ଡର ବୁସାନନ ଓଙ୍ଗମାମ୍ରୁଙ୍ଗଫନକୁ ୨୧-୧୬, ୨୧-୮ ସିଧାସଳଖ ସେଟ୍ରେ ହରାଇ ଚାମ୍ପିୟନ ହୋଇଛନ୍ତି ସିନ୍ଧୁ । ଏହି ଚାମ୍ପିୟନ ପ୍ରଦର୍ଶନ ପାଇଁ ସିନ୍ଧୁଙ୍କୁ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ରନର୍ସଅପ ହୋଇଥିଲା ଏଚ ଏସ ପ୍ରଣୟଙ୍କୁ ମଧ୍ୟ ନବୀନ ଶୁଭେଚ୍ଛା ଜଣାଇଛନ୍ତି ।
ଚଳିତ ବର୍ଷ ଏହା ସିନ୍ଧୁଙ୍କ ଦ୍ବିତୀୟ BWF ଟାଇଟେଲ । ପୂର୍ବରୁ ଜାନୁଆରୀରେ ସୟଦ ମୋଦି ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟାଇଟେଲ ୨୦୨୨ ଜିତିଥିଲେ ଷ୍ଟାର ଭାରତୀୟ ସର୍ଟଲର । ବାସେଲର ମଧ୍ୟ ଏହା ସିନ୍ଧୁଙ୍କ ଦ୍ବିତୀୟ ଟାଇଟେଲ୍ । ପୂର୍ବରୁ ଏଠାରେ ୨୦୧୯ରେ ପ୍ରଥମ ୱାର୍ଲ୍ଡ ଚାମ୍ପିୟନସିପ୍ ଟାଇଟେଲ ଜିତିଥିଲେ ।