ନୂଆଦିଲ୍ଲୀ:ଜାଭେଲିନ ଥ୍ରୋ ଇଭେଣ୍ଟରେ ଓଡିଆ ଆଥଲେଟ କିଶୋର ଜେନାଙ୍କ କମାଲ । ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି କିଶୋର । ପଦକ ଜିତିନାହାନ୍ତି ହେଲେ ନିରାଶ ବି କରିନାହାନ୍ତି । ଶ୍ରେଷ୍ଠ ପ୍ରଦର୍ଶନ କରି ସମସ୍ତଙ୍କ ହୃଦୟ ଜିତିଛନ୍ତି କିଶୋର ଜେନା । ହଙ୍ଗେରୀର ବୁଦାପେଷ୍ଟରେ ଚାଲିଥିବା ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପ ପୁରୁଷ ଜାଭେଲିନ ଥ୍ରୋ ଇଭେଣ୍ଟରେ 84.77 ମିଟର ଜାଭେଲିନ ଫିଙ୍ଗି କ୍ୟାରିଅରର ଶ୍ରେଷ୍ଠ ଦମଦାର ପ୍ରଦର୍ଶନ କରି ପଞ୍ଚମ ସ୍ଥାନରେ ରହିଛନ୍ତି । ସେହିପରି ଷଷ୍ଠ ସ୍ଥାନରେ ରହିଛନ୍ତି ମନୁ ଡିପି ।
ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପରେ ନୀରଜ ଚୋପ୍ରାଙ୍କ ସମେତ 3 ଭାରତୀୟ ଫାଇନାଲରେ ପ୍ରବେଶ କରିଥିଲେ । ଓଡିଆ ଜାଭେଲିନ ଫିଙ୍ଗାଳି ବ୍ରହ୍ମଗିରିର କୋଠସାହି କୋହିନୂର କିଶୋର ଜେନା ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ଓଡିଆ ଜାଭେଲିନ ଥ୍ରୋୟର କିଶୋର ଜେନା 84.77 ମିଟର ଜାଭେଲିନ ଫିଙ୍ଗି ପଞ୍ଚମ ସ୍ଥାନରେ ରହିଛନ୍ତି । କିଶୋର 75.70ମିଟରରୁ ଥ୍ରୋ ଆରମ୍ଭ କରିଥିଲେ । ଦ୍ବିତୀୟ ପ୍ରୟାସରେ 82.82 ମିଟର ଅତିକ୍ରମ କରିଥିଲେ । ତୃତୀୟରେ ବିଫଳ ହେବା ପରେ ଚତୁର୍ଥରେ 80.19 ମିଟର ଫିଙ୍ଗିଥିଲେ । ଏହା ପରେ ପଞ୍ଚମ ପ୍ରୟାସରେ 84.77 ମିଟିର ଜାଭେଲିନ ଫିଙ୍ଗିବାରେ ସଫଳ ହୋଇଥିଲେ । କିଶୋର ପ୍ରଥମ ଓଡିଆ ଭାବେ ବିଶ୍ବ ଚାମ୍ପିଅନସିପକୁ ଯୋଗ୍ୟତା ଅର୍ଜନ କରିଥିଲେ ଯାହା ଓଡିଆ ଆଥଲେଟ କ୍ରୀଡା ଇତିହାସରେ ଏକି ବିରଳ ସଫଳତା ।
ଫାଇନାଲରେ ପ୍ରବେଶ କରିଥିବା ଅନ୍ୟ ଜାଭେଲିନ ଫିଙ୍ଗାଳି ଡିପି ମନୁ ଷଷ୍ଠ ସ୍ଥାନରେ ରହିଛନ୍ତି । 84.14 ମିଟର ଜାଭେଲିନ ଫିଙ୍ଗି ସେ ତାଙ୍କର ଅଭିଯାନ ଶେଷ କରିଛନ୍ତି । ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପ ଜାଭେଲିନ ଫାଇନାଲରେ 3 ଭାରତୀୟଙ୍କ ଦମଦାର ପ୍ରଦର୍ଶନ ପାଇଁ ଆଜି ସାରା ଭାରତ ଗର୍ବିତ । ବିଭିନ୍ନ ମହଲରୁ ତିନି ଷ୍ଟାର ଜାଭେଲିନ ଫିଙ୍ଗାଳୀଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।